ରଣପୁରରୁ ବାଘଛାଲ ଜବତ ଘଟଣାରେ ଆଉ ୨ ଗିରଫ

Odisha Hot News
1 Min Read

ରଣପୁର: ରଣପୁର ଅଞ୍ଚଳରେ ବାଘଛାଲ କାରବାରକୁ ନେଇ ଗତ ୨ ଦିନ ତଳେ ଏସ୍‌ଟିଏଫ୍‌ ଦ୍ବାରା ରଣପୁର ବ୍ଲକ୍‌ ବନ୍ଧମୁଣ୍ତା ପଞ୍ଚାୟତ ସମିତି ସଭ୍ୟ ଗିରଫ ହୋଇଥିବା ବେଳେ ଆଜି ଉକ୍ତ କାରବାରରେ ସଂପୃକ୍ତ ମୁଖ୍ୟ ଶିକାରୀ ସମେତ ସହକାରୀ ଗିରଫ ହୋଇଥିବା ଜଣାଯାଇଛି। ତେବେ ସମିତି ସଭ୍ୟଙ୍କୁ ମିଶାଇ ୩ ଜଣ ଗିରଫ ହୋଇଥିବା ବେଳେ ବାଘ ଛାଲ କାରବାରର ଗୁମର ଧିରେ ଧିରେ ଫିଟିବାରେ ଲାଗିଛି। ସ୍ଥାନୀୟ ରେଞ୍ଜର୍‌ ଶରତ ଚନ୍ଦ୍ର ଶତପଥୀଙ୍କ ସୂଚନା ମୁତାବକ ବାଘ ଛାଲ କାରବାରର ମୁଖ୍ୟ ଶିକାରୀ ବନ୍ଧମୁଣ୍ତା ପଞ୍ଚାୟତ ଅଧୀନ ଜାମୁଗଣ୍ତ ଗାଁ’ର ଭାସ୍କର ନାୟକ (୫୦) ସୁଦୂର କେରଳରେ ଶ୍ରମିକ ଭାବେ ରହି କାର୍ଯ୍ୟ କରୁଥିବା ବେଳେ ଲକ୍‌ଡାଉନ୍ ଯୋଗୁ ନିଜ ଘରକୁ ଫେରିଆସିଥିଲା। ତେବେ ସେ ବାଉଁଶଗଡ଼ସ୍ଥିତ ସଂଗରୋଧ କେନ୍ଦ୍ରରେ ରହୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ରଣପୁର ବନ ବିଭାଗ ଦ୍ବାରା ଗଠିତ ସ୍ବତନ୍ତ୍ର ଟିମ୍ ସେଠାରୁ ତାକୁ ଗିରଫ କରିଥିଲା। ସେହିପରି ଭାସ୍କରର ବୟାନ ଆଧାରରେ ଏଥିରେ ଆଉ ଜଣେ ସଂପୃକ୍ତ ଜାମୁଗଣ୍ତ ଗାଁ’ର ବିରଞ୍ଚି ନାୟକ (୪୦)କୁ ଆଜି ସନ୍ଧ୍ୟା ସାଢ଼େ ୮ ଟାରେ ବନ ବିଭାଗ ଟିମ୍ ଗିରଫ କରିଛି।

Share This Article