୧୨ ଶିକ୍ଷାନୁଷ୍ଠାନରେ ଖୋଲିବ ବି.ଏସ୍‌ସି(କୃଷି) ପାଠ୍ୟକ୍ରମ

Odisha Hot News
1 Min Read

ଭୁବନେଶ୍ବର : ୨୦୨୦-୨୧ ଶିକ୍ଷାବର୍ଷରେ ରାଜ୍ୟର ୧୨ଟି ଘରୋଇ ଶିକ୍ଷାନୁଷ୍ଠାନ ବି.ଏସ୍‌ସି(ଏଗ୍ରିକଲଚର/କୃଷି) ପାଠ୍ୟକ୍ରମ ଖୋଲିବା ପାଇଁ ଆବେଦନ କରିଛନ୍ତି। ତେବେ ଏହା କାର୍ଯ୍ୟକାରୀ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। ଉକ୍ତ ପାଠ୍ୟକ୍ରମ ଖୋଲିବା ଲାଗି ଏ ପର୍ଯ୍ୟନ୍ତ କୌଣସି ସ୍ବତନ୍ତ୍ର ନୀତି ବା ଗାଇଡ୍‌ଲାଇନ୍‌ ନ ଥିବାରୁ ବିଳମ୍ବ ହେଉଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କୃଷି ଶିକ୍ଷାକୁ ଅଧିକ ବ୍ୟାପକ କରିବା ଲାଗି ବି.ଏସ୍‌ସି(ଏଗ୍ରିକଲଚର) ପାଠ୍ୟକ୍ରମ ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା। ଓଡ଼ିଶା ଶିକ୍ଷା ଆଇନ-୧୯୬୯ ଆଧାରରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ସହ ଏହାର ବୈଠକ ୨୦୧୯ ଜୁନ୍‌ ୧୨ ଓ ଡିସେମ୍ବର ୧୧ରେ ଅନୁଷ୍ଠିତ ହୋଇଥିଲା।

ନିଷ୍ପତ୍ତି ଅନୁଯାୟୀ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ଅନୁମୋଦନକ୍ରମେ କଲେଜଗୁଡ଼ିକରେ ଏହି ପାଠ୍ୟକ୍ରମ ଖୋଲିବ। ତେବେ ଓୟୁଏଟି କୁଳସଚିବ ଗତ ଏପ୍ରିଲ ୧୮ରେ ଉଚ୍ଚଶିକ୍ଷା ବିଭାଗଙ୍କୁ ଅବଗତ କରାଇଛନ୍ତି ଯେ ବି.ଏସ୍‌ସି(ଏଗ୍ରିକଲଚର) ପାଠ୍ୟକ୍ରମ ଖୋଲିବାକୁ ଥିବା ଘରୋଇ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଯାଞ୍ଚ ଲାଗି ଏପର୍ଯ୍ୟନ୍ତ କୌଣସି ନିଦ୍ଧିଷ୍ଟ ନୀତି ବା ଗାଇଡ୍‌ଲାଇନ୍ ନାହିଁ। ତେଣୁ ଆମେ ଭିତ୍ତିଭୂମି ଯାଞ୍ଚ କରିପାରୁନାହୁଁ। ଓୟୁଏଟି କୁଳସଚିବଙ୍କଠାରୁ ଚିଠି ପାଇବା ପରେ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ରାଜଶ୍ରୀ ମହାନ୍ତି ଗତ ୧୨ ତାରିଖରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଅତିରିକ୍ତ ସଚିବଙ୍କୁ ଚିଠି ଲେଖିଛନ୍ତି। ସମସ୍ୟାକୁ ଦୃଷ୍ଟିରେ ରଖି ଓୟୁଏଟିର ପରାମର୍ଶ ଅନୁଯାୟୀ, ଏକ ନୀତି/ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିବାକୁ କୁହାଯାଇଛି। ଯେତେଶୀଘ୍ର ସମ୍ଭବ ଏହାକୁ ପ୍ରସ୍ତୁତ କରାଗଲେ ୨୦୨୦-୨୧ ଶିକ୍ଷାବର୍ଷରୁ ୧୨ଟି ଘରୋଇ ଶିକ୍ଷାନୁଷ୍ଠାନରେ ବି.ଏସ୍‌ସି(ଏଗ୍ରିକଲଚର) ପାଠ୍ୟକ୍ରମ ଖୋଲିପାରିବ।

Share This Article