ପୁରୀରେ ଖୋଲିଲା ‌ହୋଟେଲ

Odisha Hot News
2 Min Read

ପୁରୀ : ଦୀର୍ଘ ତିନି ମାସ ହେବ ବନ୍ଦ ଥିବା ପୁରୀର ହୋଟେଲ ଶିଳ୍ପ ପୁଣି ସଞ୍ଜିବନୀ ପାଇଛି। କେନ୍ଦ୍ର ସରକାରଙ୍କ ନୂତନ ଗାଇଡ୍‌ଲାଇନ ବା କରୋନା କଟକଣା ମୁତାବକ ଗତକାଲିଠାରୁ ପୁରୀର କିଛି ହୋଟେଲ ଖୋଲିଛି। ଗତକାଲି ଓ ଆଜି ମଧ୍ୟରେ ପୁରୀରେ ଶହେରୁ ଅଧିକ ‌ହୋଟେଲ ସେମାନଙ୍କ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ହୋଟେଲ ଖୋଲିଛନ୍ତି। ତେବେ ଏଥିପାଇଁ ସେମାନେ କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନକୁ ମାନିଛନ୍ତି। ଗାଇଡ୍‌ଲାଇନ ମୁତାବକ ସେମାନେ ମୋଟ୍‌ ରୁମର ୩୦ ପ୍ରତିଶତ ‌ରୁମ ଖୋଲିଛନ୍ତି। ଖୋଲିବା ପୂର୍ବରୁ କିଛି ପ୍ରତିଷ୍ଠିତ ହୋଟେଲ ପୂରା ‌ହୋଟେଲକୁ ସାନିଟାଇଜ୍ ମଧ୍ୟ କରିଛନ୍ତି। ଗତକାଲି ଖୋଲିଥିବା ହୋଟେଲରେ ପର୍ଯ୍ୟଟକ ନ ଥିଲେ। ଆଜି କାଁ ଭାଁ ପର୍ଯ୍ୟଟକ( ଆଞ୍ଚଳିକ) ଆସିଥିବା ଜଣାପଡ଼ିଛି। ଆଜି ହୋଟେଲ ଖୋଲିବା ପରେ ଦୀର୍ଘ ତିନି ମାସ ଧରି ଏକ ପ୍ରକାର ଘରେ ବସିଥିବା ହୋଟେଲ କର୍ମଚାରୀଙ୍କ ମନରେ ନୂଆ ଆଶା ସଂଚାର ହୋଇଛି। ସରକାର ତୁରନ୍ତ ସ୍ଥିତି ସ୍ବାଭାବିକ ନ କଲେ ସେମାନଙ୍କ ପରିବାର ଭୋକଉପାସରେ ରହିବେ ବୋଲି ହୋଟେଲ କର୍ମଚାରୀମାନେ କହିଛନ୍ତି। ଏ ସମ୍ପର୍କରେ ପୁରୀ ‌ହୋଟେଲ ସଂଘର ସମ୍ପାଦକ ରାଜକିଶୋର ପାତ୍ର କହିଛନ୍ତି ଯେ ଏବେ ହୋଟେଲଗୁଡିକ ଖୋଲିବା ନିହାତି ଦରକାର। ଗତକାଲି ହୋଟେଲ ଖୋଲିଛି। କିଛି ବୁକିଂ ମଧ୍ୟ ଆସୁଛି, ଏହା ଶୁଭ ସଙ୍କେତ। ତେବେ ପୁରୀକୁ ରେଳ ଓ ବସ୍‌ ସେବା ଏବେ ନାହିଁ। ଆଗକୁ ଏହି ସେବା ସ୍ବାଭାବିକ ହେଲେ ‌ହୋଟେଲ ଶିଳ୍ପ ସ୍ବଭାବିକ ହେବ ବୋଲି ଶ୍ରୀ ପାତ୍ର କହିଛନ୍ତି। ତେବେ ହୋଟେଲ ଗୁଡିକ ସାମାଜିକ ଦୂରତା ମାନିବେ। ‌ରେସ୍ତୋରାଁରେ ମଧ୍ୟ ସାମାଜିକ ଦୂରତା ରଖାଯିବାର ବ୍ୟବସ୍ଥା ହୋଇଛି। ସରକାର ହୋଟେଲ ଶିଳ୍ପ ଉପରେ ଆଉ ଅଧିକ କଟକଣା ନଲଗାଇଲେ ଭଲ ହେବ। ପୁରୀର ‌ହୋଟେଲ ଶିଳ୍ପ ଉପରେ ୨୦ ହଜାର ପରିବାର ନିର୍ଭର କରୁଛନ୍ତି। ‌ହୋଟେଲ ଶିଳ୍ପ ତିଷ୍ଠିଲେ ଏଠାକୁ ପର୍ଯ୍ୟଟକ ଆସିବେ, ପୁରୀ ପୁଣି ହସିବ ବୋଲି ଶ୍ରୀପାତ୍ର କହିଛନ୍ତି।

ଅନ୍ୟପକ୍ଷରେ, ଆସନ୍ତା ଜୁନ ୨୩ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାର ପୁରୀକୁ ରେଳ ଓ ବସ ସେବା ବନ୍ଦ ରଖିଛନ୍ତି। ଏଭଳି ସ୍ଥିତିରେ ପୁରୀରେ ‌ହୋଟେଲ ଶିଳ୍ପ ଖୋଲିଲେ ଏହା ଆଗାମୀ ରଥଯାତ୍ରା ପାଇଁ ଏକ ବଡ ଆହ୍ବାନ ହେବ। ପର୍ଯ୍ୟଟକ ଆଗୁଆ ପୁରୀ ଆସି ରହିବାର ସୁଯୋଗ ପାଇବେ। ଏହାକୁ କଡ଼ା ନଜରରେ ରଖାନଗଲେ ଏହା କରୋନା ସଂକ୍ରମଣ ବଢ଼ାଇବ ବୋଲି କୁହାଯାଉଛି। ତେବେ ‌ହୋଟେଲ ପାଇଁ ସ୍ବତନ୍ତ୍ର କଟକଣା କରିବାକୁ ଦାବି ହୋଇଛି।

Share This Article