ରାଜଧାନୀରେ ଡକାୟତି ଉଦ୍ୟମ କରୁଥିବା ୫ କୁଖ୍ୟାତ ଅପରାଧୀଙ୍କୁ ଗିରଫ କଲା ପୋଲିସ୍

Odisha Hot News
1 Min Read

ଭୁବନେଶ୍ବର: ସମଗ୍ର ରାଜଧାନୀ ପୋଲିସ ନଜରରେ। ଏଭଳି ସ୍ଥିତିରେ ରାଜଧାନୀର ଜଟଣୀ-ସୁନ୍ଦରପଦା ରାସ୍ତାର ପଞ୍ଚୁପଲ୍ଲୀ ନିକଟ ଏକ ଅନ୍ଧାରିଆ ପରିତ୍ୟକ୍ତ ଚାଳ ଘରେ ବସି ଡକାୟତି ପାଇଁ ଯୋଜନା କରୁଥିବା ବେଳେ ୫ ଜଣ କୁଖ୍ୟାତ ଅପରାଧୀଙ୍କୁ ଧରିଛି ପୋଲିସ୍। ଦୀର୍ଘ ଦିନ ହେବ ଏମାନଙ୍କୁ ପିଛା କରୁଥିଲଶ କମିସନରେଟ୍‌ ପୁଲିସର କୁଇକ୍‌ ଆକ୍ସନ ଟିମ୍‌।

ଏୟାରଫିଲ୍ଡ ଥାନା ପୋଲିସ ସହାୟତାରେ ସେମାନଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି, ୩ଟି ଖଣ୍ଡା, ଗୋଟିଏ ଲୁହା ଛଡ଼, ୪ଟି ମୋବାଇଲ ଫୋନ୍‌, ୭ହଜାର ୫ଶହ ନଗଦ ଟଙ୍କା ସହ ଲଙ୍କାଗୁଣ୍ଡ ଓ ଅନ୍ୟାନ୍ୟ ଡକାୟତି ପାଇଁ ଆବଶ୍ୟକ ସାମଗ୍ରୀ ଜବତ କରାଯାଇଛି। ତେବେ ଫାଙ୍କା ଗୁଳିଚାଳନା କରି ମୁଖ୍ୟ ଅଭିଯୁକ୍ତ ଫେରାର ହେବାକୁ ସକ୍ଷମ ହୋଇଛି।ତେବେ ଖୁବ୍‌ଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୁଲିସ କହିଛି।

ଗିରଫ ୫ ଜଣଙ୍କ ସହ ଫେରାର ଅଭିଯୁକ୍ତ ନାମରେ ଏୟାରଫିଲ୍ଡ ଓ ତମ‌ାଣ୍ଡୋ ଥାନାରେ ଏକାଧିକ ମାମଲା ରହିଛି। ଏହି ଅପରାଧ ତାଲିକାରେ ଦାଦାବଟି ଆଦାୟ ସହ ଭଡ଼ାଟିଆ ଗୁଣ୍ଡା, ହତ୍ୟା ଉଦ୍ୟମ, ଡକାୟତି, ଅପହରଣ ପ୍ରଭୃତି ରହିଛି। ସମସ୍ତ ଅଭିଯୁକ୍ତ ପଞ୍ଚୁପଲ୍ଲୀ ଗ୍ରାମର ବୋଲି ଜଣାପଡିଛି। ସେମାନେ ହେଉଛନ୍ତି, ଅନିଲ ପ୍ରଧାନ ଓରଫ ବାବୁ, କାଶୀନାଥ ସାମନ୍ତରାୟ ଓ ପ୍ରେମାନନ୍ଦ ଭାରିମଲ୍ଲ ଓରଫ ତମ୍ପ, ଅମିର ଜୟସିଂହ ଓ ସୁକାନ୍ତ ଭାରିମଲ୍ଲ, ।

Share This Article