ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା)ଙ୍କ ୧୧୧ ତମ ଜୟନ୍ତୀ ପାଳିତ

Odisha Hot News
3 Min Read

ତ୍ୟାଗ, ସେବା, ସମର୍ପଣ ଓ ମାନବିକତାର ଅନନ୍ୟ ପ୍ରତୀକ ତଥା ସର୍ବୋଦୟ ଆନ୍ଦୋଳନର ପ୍ରବାଦ ପୁରୁଷ, ବନବାସୀ ସେବା ସମିତିର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା) ଙ୍କ ୧୧୧ତମ ଜୟନ୍ତୀ ବାଲିଗୁଡ଼ା ସ୍ଥିତ ବନବାସୀ ସେବା ସମିତି ପରିସରରେ ଗଭୀର ଶ୍ରଦ୍ଧା, ଭକ୍ତି ଓ ଭାବ ଗମ୍ଭୀର ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସର ରେ ସେବା, ସମାଜ ସଂସ୍କାର ଓ ମାନବ କଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ତିନି ଜଣ ବିଶିଷ୍ଟ ସମାଜସେବୀଙ୍କୁ ରାଜ୍ୟସ୍ତରୀୟ ସମ୍ମାନରେ ସମ୍ମାନିତ କରାଯିବା ସହ ଅନୁଷ୍ଠାନ ତରଫରୁ ବିଭିନ୍ନ ସ୍ତରର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଜୟନ୍ତୀ ଉତ୍ସବର ଶୁଭାରମ୍ଭ ପ୍ରତ୍ୟୁଷରୁ ବୈତାଳିକ ପ୍ରାର୍ଥନାରୁ ଆରମ୍ଭ ହୋଇଥିଲା। ପରେ ସମସ୍ତ ଅତିଥି ଓ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଆଜ୍ଞାଙ୍କ ସ୍ମୃତିପୀଠରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତିଚାରଣ କରିଥିଲେ। ଏହାପରେ ଆୟୋଜିତ ସାଧାରଣ ସଭା ଓ ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ସମିତିର ସଭାପତି ଲାଲନନ୍ଦ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଉତ୍କଳ ଗାନ୍ଧୀ ସ୍ମାରକ ନିଧି, କଟକର ସଭାନେତ୍ରୀ ତଥା ବିଶିଷ୍ଟ ସର୍ବୋଦୟ ନେତ୍ରୀ ଶ୍ରୀମତୀ କ୍ରୀଷ୍ଣା ମହାନ୍ତି ଉଦ୍‌ଘାଟିକା ଭାବେ ଯୋଗଦେଇଥିବା ବେଳେ କନ୍ଧମାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଏବଂ ଭୁବନେଶ୍ୱରସ୍ଥିତ ଏକାମ୍ର ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ. ଲଳିତ ଲେଙ୍କା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।
ସେହିପରି କଟକରୁ କ୍ଲାପ୍‌ର ଅଧ୍ୟକ୍ଷ ବିକାଶ ଦାସ, କନ୍ଧମାଳ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ରତ୍ନେଶ୍ୱର ସାହୁ, କଳାହାଣ୍ଡି ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ସୁଶ୍ରୀ ସ୍ୱର୍ଣ୍ଣଲତା ମହାନ୍ତି ଏବଂ କନ୍ଧମାଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ଜୀବନାଦର୍ଶ, ସମାଜ ପ୍ରତି ତାଙ୍କର ଅବଦାନ ଓ ମାନବସେବାର ମହତ୍ତ୍ୱ ଉପରେ ନିଜ ନିଜର ମତବ୍ୟକ୍ତ କରିଥିଲେ। ସମିତିର ସହ-ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ସ୍ୱାଗତ ସମ୍ବର୍ଦ୍ଧନା, ଅତିଥି ପରିଚୟ ପ୍ରଦାନ ସହ ବାର୍ଷିକ କାର୍ଯ୍ୟ ବିବରଣୀ ପାଠ କରିଥିଲେ। ବନବାସୀ ସେବା ସମିତିର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ଓ ଉଦ୍‌ଯାପନୀ ସଙ୍ଗୀତ ପରିବେଷଣ କରିଥିଲେ। ଏହାସହ ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ‘ଆଜ୍ଞା ସେବା ସମ୍ମାନ’ର ମହତ୍ତ୍ୱ ଓ ଏହା ପଛରେ ରହିଥିବା ମହତ୍ ଉଦ୍ଦେଶ୍ୟ ସମ୍ପର୍କରେ ଅଭିଭାଷଣ ରଖିଥିଲେ। ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ରାଜ୍ୟସ୍ତରୀୟ ସେବା ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ। ଏଥିରେ ରାୟଗଡ଼ା ଜିଲ୍ଲାର ସମାଜସେବୀ ଜଳନ୍ଧର ପୁସିକାଙ୍କୁ ୧୪ତମ ‘ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା) ସେବା ସମ୍ମାନ’ ପ୍ରଦାନ କରାଯାଇଥିଲା।
ସେହିପରି ଅନୁଗୁଳ ଜିଲ୍ଲାର ସମାଜସେବୀ ଶିବରାମ ମିଶ୍ରଙ୍କୁ ୨୧ତମ ‘ଋଷିପ୍ରାଣ ଆଚାର୍ଯ୍ୟ ହରିହର-ଗୋପବନ୍ଧୁ ଚୌଧୁରୀ ସ୍ମାରକ ସମ୍ମାନ’ ଏବଂ ଭୁବନେଶ୍ୱରର ସମାଜସେବୀ ଶ୍ରୀମତୀ ଶୁଭଶ୍ରୀ ଦାସଙ୍କୁ ୨୧ତମ ‘ମା’ ରମାଦେବୀ-ମାଳତୀ ଚୌଧୁରୀ ସ୍ମାରକ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ତିନିଜଣ ଯାକ ସମାଜସେବୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କାର ଅର୍ଥରାଶି, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ସମ୍ମାନିତ ପ୍ରତିଭାମାନେ ନିଜ ନିଜର ଅନୁଭୂତି ଓ ଅଭିବ୍ୟକ୍ତି ରଖିବା ସହ ସମାଜସେବା ପ୍ରତି ନିଜର ସମର୍ପଣ ଭାବ ପ୍ରକାଶ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି କୁଶଳ ଚନ୍ଦ୍ର ନାୟକ ସ୍ୱର୍ଗତ ବିଶ୍ୱନାଥ ପଟ୍ଟନାୟକଙ୍କ ଜୀବନୀ ଓ ଆଦର୍ଶକୁ ନେଇ ପ୍ରସ୍ତୁତ ‘ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା) ସ୍ମରଣିକା’ ଉନ୍ମୋଚନ କରିଥିଲେ। ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ସମିତିର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହି ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ୨୦୨୬ ମସିହା ମାଟ୍ରିକ୍ ପରୀକ୍ଷାରେ ଅନୁଷ୍ଠାନର ସର୍ବୋଚ୍ଚ ନମ୍ବର ହାସଲ କରିଥିବା ରବିଙ୍ଗିଆ କନ୍ୟାଶ୍ରମର ଛାତ୍ରୀ ସୁଶ୍ରୀ ଅର୍ଚ୍ଚିତା କହଁର, ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ର ଘନଶ୍ୟାମ ଦାସ ଏବଂ ବାଲିଗୁଡ଼ା ଶିଶୁସଦନର ଛାତ୍ର ରାଜା ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କାର ନଗଦ ଅର୍ଥରାଶି ସହ ମାନପତ୍ର ପ୍ରଦାନ କରାଯାଇ ଥିଲା। ଦିନବ୍ୟାପୀ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ଅପରାହ୍ନରେ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିବା ବେଳେ ସନ୍ଧ୍ୟାରେ ସର୍ବଧର୍ମ ପ୍ରାର୍ଥନା ପରେ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶେଷରେ ବିଶ୍ୱଜିତ ଜେନା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସୁଶ୍ରୀ ଅପର୍ଣ୍ଣା ବେହେରା, ଖଗେନ୍ଦ୍ର ନାୟକ, ରୋହିତ ମହାରଣା ଓ ସୁଜିତ ଦିଗାଳ ପ୍ରମୁଖ ଉପସ୍ଥିତ ରହି ସମଗ୍ର କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ।

Share This Article