ଭୁବନେଶ୍ବର: ବର୍ଷାକୁ ନଜରରେ ରଖି ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ପୂର୍ବ ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳମାନଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏକ ସମୀକ୍ଷା ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଗତକାଲିଠାରୁ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାରେ ଅଛନ୍ତି। ଆଜି ସେଠାରେ ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲଗାଣବର୍ଷା ଜନିତ ସମସ୍ୟାର ଠିକ୍ ଭାବେ ପରିଚାଳନାକୁ ଗୁରୁତ୍ବ ଦେବାକୁ ହେବ। ପ୍ରବଳ ବର୍ଷା ଯୋଗୁଁ ସହରାଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ଏହାର ମୁକାବିଲା ପାଇଁ ଡ୍ରେନେଜ୍ ଇଞ୍ଜିନିୟର ଓ ଅଧିକାରୀ ପ୍ରସ୍ତୁତ ରହିବା ଆବଶ୍ୟକ। ଜିଲ୍ଲା ଓ ବ୍ଲକ୍ ସ୍ତରରେ ନିୟନ୍ତ୍ରଣ କକ୍ଷଗୁଡ଼ିକ ୨୪ ଘଣ୍ଟା କାର୍ଯ୍ୟ କରିବା ସହ ତଥ୍ୟଗୁଡ଼ିକ ନିୟମିତ ଭାବେ ଅପ୍ଡେଟ୍ କରିବା ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି ହୋଇଛି। ପରିବର୍ତ୍ତିତ ପରିସ୍ଥିତି ଦେଖି ଆବଶ୍ୟକ ପଦକ୍ଷେପ ନେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ସେହିପରି ସହରାଞ୍ଚଳରୁ ପାଣି ନିଷ୍କାସନ ପାଇଁ ଆଗୁଆ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। ଦାୟିତ୍ୱରେ ଥିବା ଇଞ୍ଜିନିୟରିଂ କର୍ମଚାରୀ ନଦୀ ଓ କେନାଲ ବନ୍ଧର ଦୁର୍ବଳ ସ୍ଥାନଗୁଡ଼ିକ ଉପରେ କଡ଼ା ନଜର ରଖିବାକୁ ହେବ। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ସମ୍ଭାବନା ଥିବାରୁ ଉକ୍ତ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରି କ୍ଷେତ୍ରୀୟ କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ବୈଠକ ପରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ସମସ୍ତ ପ୍ରସ୍ତୁତି କରାଯାଇଛି। ତେଣୁ ଲୋକେ ଆତଙ୍କିତ ହୁଅନ୍ତୁ ନାହିଁ। ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ଆଭାସୀ ମାଧ୍ୟମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।
ଦୁର୍ବଳ ନଦୀବନ୍ଧ ଉପରେ ନଜର ରଖ: ମୁଖ୍ୟମନ୍ତ୍ରୀ

Comment