ରାଜ୍ୟର ଅର୍ଥନୀତିକୁ ଗତିଶୀଳ ପାଇଁ ୪କ୍ଷେତ୍ରକୁ ଅଗ୍ରାଧିକାର

Odisha Hot News
1 Min Read

ଭୁବନେଶ୍ୱର : କରୋନା ମହାମାରୀର ପରବର୍ତ୍ତୀ ସମୟରେ ଅର୍ଥନୀତି କିପରି ଅଧିକ ଗତିଶୀଳ ହୋଇପାରିବ ସେନେଇ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମହାମାରୀର ମୁକାବିଲା ସହ ରାଜ୍ୟର ଅର୍ଥନୀତିକୁ ଗତିଶୀଳ କରିବା ଉପରେ ତର୍ଜମା କରାଯାଇଛି। ଏହାସହ ୪ଟି କ୍ଷେତ୍ର ଉପରେ ବିସ୍ତୃତ ତର୍ଜମା କରି ସରକାରଙ୍କୁ ଯଥାଶୀଘ୍ର ରିପୋର୍ଟ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ହୋଇଛି। ବୈଜ୍ଞାନିକ, ସାମାଜିକ କର୍ମୀ, ଅର୍ଥନୀତିଜ୍ଞ ଏବଂ ଉଚ୍ଚ ପଦାଧିକାରୀଙ୍କ ମତାମତକୁ ନେଇ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସମୂହ, ଜନସ୍ବାସ୍ଥ୍ୟ ଏବଂ ପର୍ଯ୍ୟଟନ ଶିଳ୍ପ କ୍ଷେତ୍ର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ସରକାରଙ୍କୁ ରିପୋର୍ଟ ଦିଆଯିବା ପୂର୍ବରୁ ସମସ୍ତ ସମ୍ପୃକ୍ତ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ସହିତ ବିଚାରବିମର୍ଶ କରାଯିବ। ରାଜ୍ୟ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ନୋଡାଲ୍‌ ଏଜେନ୍ସିଭାବେ ଦାୟିତ୍ବ ନିର୍ବାହ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ସମସ୍ତ କ୍ଷେତ୍ରକୁ କିପରି ଠିକ୍‌ଭାବେ ପରିଚାଳନା ଓ ମାର୍ଗଦର୍ଶନ କରାଯିବ ତା’ଉପରେ ଦାସବର୍ମା ଗୁରୁତ୍ବାରୋପ କରିଛନ୍ତି। ବିଭିନ୍ନ ପର୍ଯ୍ୟାୟର ଆଲୋଚନା ପରେ ଚୂଡ଼ାନ୍ତ ରିପୋର୍ଟ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ। ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଯୋଜନା ଓ ସଂଯୋଜନା ବିଭାଗ ସ୍ବତନ୍ତ୍ର ସଚିବ ଗୋପବନ୍ଧୁ ଶତପଥୀ, ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀଜିତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

Share This Article