ଆଇଏନଏସ ଚିଲିକାରେ ଅଗ୍ନିବୀର ଚାକିରୀ କରାଇ ଦେବା ନାଁରେ ଠକେଇ, ନୌସେନା ଅଧିକାରୀଙ୍କ ସମେତ ତିନି ଗିରଫ

Odisha Hot News
1 Min Read

ବାଲୁଗାଁ: ଆଇଏନଏସ ଚିଲିକାରେ ଅଗ୍ନିବୀର ଚାକିରୀ କରାଇ ଦେବା ନାଁରେ ସାଙ୍ଘାତିକ ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି। ଉକ୍ତ ଘଟଣାରେ ଜଣେ କାର୍ଯ୍ୟରତ ନୌସେନା ଅଧିକାରୀଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି ପୋଲିସ।

ପୋଲିସ ସୂଚନା ମୁତାବକ ଏପ୍ରିଲ ୧୯ ରେ ଆଇଏନଏସ ଚିଲିକା ଲେଫ୍ଟନାଣ୍ଟ କମାଣ୍ଡର ଆଦିତ୍ୟ ସିଂ ଗତ ନଭେମ୍ବର ୨୦୨୪ ରେ ଅଗ୍ନିବୀର ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ବାଲୁଗାଁ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ କେଶ ନଂ ୧୧୮/୨୫ ରେ ମାମଲା ରୁଜୁ କରି ଖୋର୍ଦ୍ଧା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିଲା।

ତେବେ ଅଗ୍ନିବୀର ଆବେଦନକାରୀଙ୍କ ଠାରୁ ପରୀକ୍ଷା, ପୋଲିସ ଯାଞ୍ଚ, ଡାକ୍ତରୀ ପରୀକ୍ଷାରେ ପାସ କରାଇ ଚାକିରୀରେ ନିଯୁକ୍ତି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା କିଛି ନୌସେନା ଅଧିକାରୀ ଆଦାୟ କରୁଥିଲେ। ଯେଉଁଥିରେ ଓଡିଶା, ଉତ୍ତରପ୍ରଦେଶ ଓ ଆଣ୍ଡାମାନ ନିକୋବରର କିଛି ଅଧିକାରୀ ସାମିଲ ରହିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଇଏନଏସ ଚିଲିକା ନୌସେନା ଅଧିକାରୀ ବିନୟ କୁମାର ରାୟ, ଆଣ୍ଡାମାନ ନିକୋବର ଆଇଏନଏସ କେଶରୀ ଅଧିକାରୀ ସତ୍ୟମ ଚହର, ଉତ୍ତରପ୍ରଦେଶ ଅବସରପ୍ରାପ୍ତ ନୌସେନା ଅଧିକାରୀ ଭୂଷଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪ଟି ମୋବାଇଲ ଫୋନ, ୧୨ଟି ବ୍ୟାଙ୍କ ପାସବୁକ ଜବତ ହୋଇଥିବା ବେଳେ ଉକ୍ତ ପାସବୁକରେ ପ୍ରାୟ ଏକ କୋଟି ଟଙ୍କା ଥିବା ଜଣାପଡ଼ିଛି।

ଏଥିସହିତ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାର ବହୁ ଗୁପ୍ତ ତଥ୍ୟ ଲିକ ହୋଇଥିବା ବେଳେ ଏହି ଦୁର୍ନୀତିର ଚେର କେଉଁ ଆଡେ ଲମ୍ବିଛି ଖୋର୍ଦ୍ଧା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Share This Article