ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଚନ୍ଦନଯାତ୍ରା ନୀତିନିର୍ଘଣ୍ଟ ଚୂଡାନ୍ତ

Odisha Hot News
1 Min Read

ପୁରୀ: ନୀଳାଦ୍ରି ଭକ୍ତ ନିବାଶ ଠାରେ ଶୁକ୍ରବାର ଅପରାହ୍ନରେ ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଚଳିତବର୍ଷର ଚନ୍ଦନଯାତ୍ରା ନୀତିନିର୍ଘଣ୍ଟ ଚୂଡାନ୍ତ କରାଯାଇଥିଲା। ଏଥି ସହ ଅକ୍ଷୟ ତୃତୀୟ, ନୀଳାଦ୍ରି ମହୋଦୟ, ନୃସିଂହ ଜନ୍ମ ଓ ଶ୍ରୀକ୍ଷେତ୍ର ଭଉଁରୀ ତିଥି ପାଇଁ ମଧ୍ୟ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିବା ବେଳେ ଛତିଶା ନିଯୋଗ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି।

ବୈଠକରେ ଗତବର୍ଷ ବାହାର ଚନ୍ଦନଯାତ୍ରାର ଭଉଁରୀ ଦିନ ଘଟିଥିବା ବାଣ ଵିଷ୍ପୋରଣରେ ମୃତ୍ୟୁ ନେଇ ଚଳିତବର୍ଷ ବାଣ ଫୁଟାଇବା ଉପରେ ରୋକ ଲଗାଯାଇଅଛି। ଏ ନେଇ ଚଳିତ ବର୍ଷ ଚନ୍ଦନ ଯାତ୍ରାରେ ଭକ୍ତ ଓ ସେବକଙ୍କ ପାଇଁ ସ୍ୱତନ୍ତ୍ର ହେଲଥ୍ ଇନସୁରାନ୍ସ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଥିଲା। ଏଥି ସହ ନରେନ୍ଦ୍ର ପୁଷ୍କରିଣୀ ବାହାରେ ଦୁଇଟି ଫାଷ୍ଟ ଏଡ୍ ସେଣ୍ଟର ମଧ୍ୟ ରଖାଯିବ।

ଅନ୍ୟ ପକ୍ଷରେ ଶ୍ରୀମନ୍ଦିରର ନୂତନ ପରିଚାଳନା କମିଟି ଗଠନ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢୀ ମତ ରଖିଛନ୍ତି।ସେହିପରି ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟ ରେ ପହଁଚିଥିବା ବେଳେ ଭଣ୍ଡାର ଘର ଚଟାଣ କାର୍ଯ୍ୟ ଜାରି ରହିଅଛି। ତେବେ ଭିତର ଭଣ୍ଡାର ଘରର ଦ୍ୱାର ସୁନା ଛାଉଣୀ ଓ ବାହାର ଭଣ୍ଡାର ଘରର ଦ୍ୱାରକୁ ରୁପା ଛାଉଣୀ କରା ଯିବା ନେଇ ଯୋଜନା ରହିଥିବା ମୁଖ୍ୟ ପ୍ରଶାସକ ସୂଚନା ପ୍ରଦାନ କରିଛନ୍ତି।

ସେହିପରି ଗତ ଶିକ୍ଷା ବର୍ଷରେ ସେବକ ପରିବାରର କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭଲ ମାର୍କ ରଖିଥିବା ହେତୁ ସେବାୟତ ପରିବାରର ୫ ଜଣ ଛାତ୍ର ଓ ୫ ଜଣ ଛାତ୍ରୀଙ୍କୁ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିବା ବେଳେ ଦଶମ ଓ ଦ୍ୱାଦଶ ଶ୍ରେଣୀର ୨୩ ଜଣ କୃତି ଛାତ୍ରଛାତ୍ରୀଙ୍କୁ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା।

Share This Article