ବିମାନ, ରେଳ ଯାତ୍ରୀଙ୍କ ପାଇଁ ଗାଇଡ୍‌ଲାଇନ୍‌: ସବିଶେଷ ଜାଣନ୍ତୁ

Odisha Hot News
2 Min Read

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ବିମାନ ଏବଂ ରେଳ ଯାତ୍ରୀଙ୍କ ପାଇଁ ଗାଇଡ୍‌ଲାଇନ୍‌ କରାଯାଇଛି। ଏ ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା ବୁଧବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେଉଁମାନେ ରେଳରେ କିମ୍ବା ବିମାନରେ ଓଡ଼ିଶାକୁ ଆସିବେ ସେମାନେ ପ୍ରଥମେ ରାଜ୍ୟ ସରକାରଙ୍କ କୋଭିଡ-୧୯ ପୋର୍ଟାଲରେ ନାଁ ପଞ୍ଜୀକରଣ କରିବେ। ଯଦି କୌଣସି କାରଣରୁ କେହି ପଞ୍ଜୀକରଣ କରିପାରି ନାହାନ୍ତି ତେବେ ସେମାନଙ୍କ ତଥ୍ୟ ଭାରତ ସରକାର ଅଥବା ରେଳ କର୍ତ୍ତୃପକ୍ଷଙ୍କଠାରୁ ପାଇବା ମାତ୍ରେ ରାଜ୍ୟ ସରକାରଙ୍କ ଇଲେକ୍ଟୋନିକ୍‌ ଏବଂ ଆଇଟି ବିଭାଗ କଲ୍‌ ସେଣ୍ଟରରେ ସମ୍ପୃକ୍ତ ଯାତ୍ରୀଙ୍କ ସହ ଯୋଗାଯୋଗ କରାଯିବ। ଏହାପରେ ତାଙ୍କ ତଥ୍ୟ ସଂଗ୍ରହ କରାଯିବ।

ଯେଉଁ ଯାତ୍ରୀମାନେ ବିମାନଯୋଗେ ଆସିବେ ସେମାନେ ପ୍ରଥମେ ପଞ୍ଜୀକରଣ କରିବେ। ବିମାନଯାତ୍ରୀଙ୍କ ଯେତିକି ତଥ୍ୟ ମିଳିବ ତାକୁ ଜିଲାଓ୍ବାରୀ ଏବଂ ସହରାଞ୍ଚଳ ଅଧିକାରୀଙ୍କ ପାଖକୁ ପଠାଯିବ। ଗ୍ରାମ ପଞ୍ଚାୟତର ସରପଞ୍ଚ ଏବଂ ସହରାଞ୍ଚଳ ଓ୍ବାଡ୍‌ ନୋଡାଲ ଅଫିସରଙ୍କୁ ପଠାଯିବ। ବିମାନରୁ ୨୦ ଜଣିଆ ବ୍ୟାଚ୍‌ କରି ଅଣାଯିବ। ଟର୍ମିନାଲ ବାହାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ହାତରେ ଅଲିଭା କାଳିରେ ଷ୍ଟାମ୍ପ ଲଗାଯିବ। କାହାର କୋଭିଡ-୧୯ ଲକ୍ଷଣ ଥିଲେ ତାଙ୍କୁ ଅଲଗା କରାଯାଇ ମୁନିସିପାଲ କର୍ତ୍ତୃପକ୍ଷଙ୍କୁ ନେଇ ପରୀକ୍ଷଣ ଏବଂ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା କରାଯିବ। ବିମାନବନ୍ଦରରୁ ବାହାରିବା ପରେ ନିଜ ଗାଡ଼ିରେ ଯିବା ବ୍ୟବସ୍ଥା କରରିପାରିବେ। ଏଥିସହ ସେଠାରେ ଅତି ସୀମିତ ମାତ୍ରାରେ ଓଲା ଓ ଉବେର ଗାଡ଼ି ଉପଲବ୍ଧ ରହିବ। କ୍ରୁଟ୍‌ ପକ୍ଷରୁ କଟକ ଏବଂ ଅନ୍ୟାନ୍ୟ ସ୍ଥାନକୁ ମୋ ବସ୍‌ ସେବା ସୀମିତ ଭାବେ ସେବା ଯୋଗାଇ ଦେବ। ହୋମ କ୍ୱାରାଣ୍ଟାଇନ୍‌ରେ ୨୮ ଦିନ ରହିବେ। ସରକାରଙ୍କ ନିୟମ ମାନିବେ। ଯଦି ସେମାନେ ଏଥିରେ ଖିଲାପ କରନ୍ତି ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁସାରେ ଏବଂ ଅନ୍ୟାନ୍ୟ ଆଇନ୍‌ ଅନୁସାରେ ଦଣ୍ଡବିଧାନ କରାଯିବ। ତାଙ୍କ ଘର ଆଗରେ କ୍ୱାରାଣ୍ଟାଇନ୍‌ ବୋର୍ଡ ଲାଗିବ। ଯଦି ଉକ୍ତ ସମୟରେ ଅସୁସ୍ଥତା ଅନୁଭବ କରନ୍ତି ତେବେ ୧୦୪ ହେଲ୍ପ ଲାଇନ୍‌ ନଂରେ ଯୋଗାଯୋଗ କରି ଜଣାନ୍ତୁ। ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା କରାଯିବ।

ସେହିଭଳି ରେଳ ଯୋଗେ ଫେରୁଥିବା ଯାତ୍ରୀଙ୍କ ପାଇଁ ସମାନ ବ୍ୟବସ୍ଥା କରାଯାଇଛି। ଷ୍ଟେଶନକୁ ସିଲ୍‌ କରାଯାଇ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବା ସମୟରେ ନିୟମିତ ତଦାରଖ କରାଯିବ। ଯେଉଁମାନେ ଭୁବନେଶ୍ୱରରୁ ଅନ୍ୟସ୍ଥାନକୁ ଯିବେ ସେମାନେ ଟିକେଟ ଦେଖାଇ ସେମାନେ ଯାତ୍ରା କରିପାରିବେ। ପ୍ଲାଟଫର୍ମକୁ ପଶିବା ପୂର୍ବରୁ ତାଙ୍କୁ ସ୍କ୍ରିନିଂ କରାଯିବ। ପରେ ସେମାନେ ସିଧା ଗନ୍ତବ୍ୟସ୍ଥଳକୁ ଯାଇପାରିବେ ବୋଲି ସେ କହିଛନ୍ତି।

Share This Article