ଯାତ୍ରା ବାଣ ଆଘାତରେ ଯୁବକଙ୍କ ମୃତ୍ୟୁ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା କୋଦଳା ସହରରେ ଦୋଳପୂର୍ଣ୍ଣିମା ଉପଲକ୍ଷେ ଗ୍ରାମର ଠାକୁରଙ୍କ ନଗର ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଇତ୍ୟବସରରେ ଘଣ୍ଟ ଘଣ୍ଟା ଓ କୀର୍ତ୍ତନ କାର୍ଯ୍ୟକ୍ରମ ସହ ଆତସବାଜି ଫୁଟାଇ ଠାକୁରଙ୍କୁ ନଗର ପରିକ୍ରମା ସମୟରେ ବାଣ ବିସ୍ଫୋରଣରେ ୫ ଜଣ ଯୁବକ ଆହତ ହୋଇଥିଲେ। ଏହା ମଧ୍ୟରେ ଜୀତେନ୍ଦ୍ର ପରିଡ଼ା ନାମକ ଜଣେ ଯୁବକଙ୍କୁ ଗୁରୁତର ଆହତ ଅବସ୍ଥାରେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡ଼ାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ।

ସେଠାରେ ମଧ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ଗତ ମଙ୍ଗଳବାର ରାତିରେ ଜୀତେନ୍ଦ୍ର ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ଜୀତେନ୍ଦ୍ରଙ୍କ ଶବକୁ ଗାଁ କୁ ଆଣି ପରିକ୍ରମା କରିବା ସହିତ ଶୋକାକୁଳ ପରିବେଶ ମଧ୍ୟରେ ପୁରୀ ସ୍ୱର୍ଗଦ୍ୱାରରେ ଗ୍ରାମବାସି ଅନ୍ତିମ ବିଦାୟ ଦେଇଛନ୍ତି।

ସୁଚନା ଥାଉକି ଗ୍ରାମର କୌଣସି କାର୍ଯ୍ୟକ୍ରମରେ ବାଣ ଫୁଟାଇବା ପାଇଁ ପୁରୁଷୋତ୍ତମ ପୁର ଏସ୍ ଡି ପି ଓ ଓ କୋଦଳା ତହସିଲଦାରଙ୍କ ଉପସ୍ଥିତରେ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ଦୁଇ ଜଣ ଗିରଫ ମଧ୍ୟ ହୋଇଥିଲେ। କିନ୍ତୁ ନିଷ୍ପତ୍ତି ଅବମାନନା କରି ବର୍ତ୍ତମାନ ଏହି ଭଳି ଅଘଟଣ ଯୋଗୁଁ ସୋନୁ ଆଚାରୀ ଓ କାଳିଆ ମହାନ୍ତି ନାମକ ଦୁଇ ଜଣ ଗିରଫ ହୋଇଛନ୍ତି।

Share This Article