ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପରିଦର୍ଶନ କଲେ ମିଜୋରାମର ଶିକ୍ଷକ-ପ୍ରଶିକ୍ଷକ ପ୍ରତିନିଧି ଦଳ

Odisha Hot News
1 Min Read

ଭୁବନେଶ୍ୱର: ମିଜୋରାମର ଆଇଜଲ୍ ସ୍ଥିତ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଏଚ୍. ଲୋଲଫକ ଜୁଆଲାଙ୍କ ନେତୃତ୍ୱରେ ସେଠାକାର ବାରଜଣ ଶିକ୍ଷକ-ପ୍ରଶିକ୍ଷକ ଆଜି ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଶୈକ୍ଷିକ ପରିଦର୍ଶନରେ ଆସିଛନ୍ତି। ସେମାନେ ବିଭିନ୍ନ ବିଭାଗ, ପୁସ୍ତକାଳୟ, ଶିକ୍ଷଣ ସମ୍ବଳ କେନ୍ଦ୍ର, ଆଇସିଟି ଷ୍ଟୁଡିଓ, ଔଷଧୀୟ ଉଦ୍ୟାନ ଆଦି ବୁଲି ଦେଖିଥିଲେ। ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଶିକ୍ଷକ-ପ୍ରଶିକ୍ଷକମାନଙ୍କୁ ଏନସିଇଆରଟିର କାର୍ଯ୍ୟାବଳୀ ବିଷୟରେ ଅବଗତ କରାଇଥିଲେ। ସେ ଶୈକ୍ଷିକ ଗବେଷଣା, ପ୍ରଶିକ୍ଷଣ, ଶିକ୍ଷଣ ସାମଗ୍ରୀ ବିକାଶ ଓ ବିସ୍ତାର କାର୍ଯ୍ୟକ୍ରମରେ ଆଞ୍ଚଳିକ ପ୍ରତିଷ୍ଠାନ, ଭୁବନେଶ୍ୱରର ଯୋଗଦାନ ସମ୍ପର୍କରେ ଦର୍ଶାଇଥିଲେ।

ପ୍ରାରମ୍ଭରେ ଶିକ୍ଷା ବିଭାଗର ମୁଖ୍ୟ ପ୍ରଫେସର ଲକ୍ଷ୍ମୀଧର ବେହେରା ସ୍ୱାଗତ ଭାଷଣ ଦେଇଥିଲେ। ଏହି ଆଲୋଚନାରେ ପ୍ରତିଷ୍ଠାନର ଅନ୍ୟାନ୍ୟ ବିଭାଗର ମୁଖ୍ୟ- ପ୍ରଫେସର ରିତାଞ୍ଜଳି ଦାଶ, ଡକ୍ଟର କଳିଙ୍ଗ କେତକୀ, ଡକ୍ଟର ବେଦ ପ୍ରକାଶ ବର୍ମା ଭାଗ ନେଇଥିଲେ। ଆଇଜଲର ଶିକ୍ଷକ-ପ୍ରଶିକ୍ଷକମାନେ ଜାତୀୟ ଶିକ୍ଷା ନୀତି-2020, ଜାତୀୟ ପାଠ୍ୟକ୍ରମ ଆଧାର-2023 ଆଦିର ସଫଳ ରୂପାୟନ ପାଇଁ ସେମାନଙ୍କର ଭୂମିକା ବିଷୟରେ ଅବଗତ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର ସହାୟକ ପ୍ରଫେସର ଡକ୍ଟର ଭୀ. ଶଶିକଳା ଓ ଡକ୍ଟର ମନୋଜ କୁମାର ଯାଦବ ସଂଯୋଜନା କରିଥିଲେ।

Share This Article