ଭୁବନେଶ୍ୱର: ଆଧୁନିକ ଓଡ଼ିଆ କବିତାର ଅନ୍ୟତମ ଯୁଗ-ପ୍ରବର୍ତ୍ତକ ପଦ୍ମଭୂଷଣ ରମାକାନ୍ତ ରଥଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ ଶୋକ ବାର୍ତ୍ତାରେ କହିଛନ୍ତି ଯେ ଓଡ଼ିଶାର ଖ୍ୟାତନାମା କବି ତଥା ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ଶ୍ରୀ ରମାକାନ୍ତ ରଥଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । କବିତା ମାଧ୍ୟମରେ ଓଡ଼ିଆ ସାହିତ୍ୟ ଜଗତକୁ ସୁସମୃଦ୍ଧ କରିବାରେ ତାଙ୍କର ଯୋଗଦାନ ଅକଳ୍ପନୀୟ । କେନ୍ଦ୍ର ସାହିତ୍ୟ ପୁରସ୍କାର ପ୍ରାପ୍ତ ତଥା ଅନେକ ସମ୍ମାନର ଅଧିକାରୀ ଶ୍ରୀ ରଥଙ୍କ ଲେଖାରେ ଆଧ୍ୟାତ୍ମିକ ଓ ଆଦିଭୌତିକ କଳ୍ପନାର ବ୍ୟବହାର ଦେଖାଯାଇଥାଏ।
ବିଭିନ୍ନ ବିଭାଗର ସଚିବ ଓ ମୁଖ୍ୟ ଶାସନ ସଚିବ ଭାବେ ସେ ନିଜର ଦାୟିତ୍ୱ ସୂଚାରୁରୂପେ ସମ୍ପନ୍ନ କରୁଥିଲେ। ବିଶେଷ ଭାବରେ ତାଙ୍କର କାଳଜୟୀ କବିତା ଗୁଡିକ ପାଇଁ ସେ ଓଡ଼ିଆ ଜନମାନସରେ ଚିର ସ୍ମରଣୀୟ ହୋଇ ରହିବେ। ଶ୍ରୀ ପ୍ରଧାନ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
Comment