ଫଗୁ ଦଶମୀରୁ ଶ୍ରୀ ରଙ୍କନାଥଙ୍କ ଚ଼ାଚ଼େରୀ ବେଶ, ମା’ଭଗବତୀଙ୍କ ସହିତ ଆରମ୍ଭ ହେଲା ଅବୀର କ୍ରୀଡ଼ା

Odisha Hot News
3 Min Read

ବାଣପୁର: ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କପରି ଲୀଳାକ୍ଷେତ୍ର ବାଣପୁରରେ ଆରାଧ୍ୟ ଠାକୁର ବ୍ରହ୍ମଶ୍ଵର୍ଶୀ ଶ୍ରୀ ରଙ୍କନାଥ ଦେବଙ୍କ ବାରମାସରେ ତେର ବେଶ। ଫାଲଗୁନ ଶୁକ୍ଳ ଦଶମୀରୁ ଆରମ୍ଭ ଅବୀର କ୍ରୀଡ଼ା ସହିତ ଚ଼ାଚେରୀ ବେଶ। ଏହି ବେଶରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଲାଲପାଟ ସହିତ ଚ଼ୂଳ,ନଳୀଭୂଜ, ମକରକୁଣ୍ଡଳ, ଓଡ଼ିଆଣି, ହରିଡ଼ାମାଳ,ତାବିଜ ମାଳ,ତୁଳସୀ, ଗେଣ୍ଡୁଫୁଲ, ଓ ପଲାସଫୁଲର ନାକଚଣା ଇତ୍ୟାଦିରେ ସୁନ୍ଦର ବେଶ କରାଯାଏ। ମା’ଭଗବତୀ କାଠି ଠାକୁରାଣୀଙ୍କ ସହିତ ମିଶି ପ୍ରଭୁ ଦୋଳଗୋବିନ୍ଦ ରୂପରେ ପରିଚ୍ଛାଙ୍କ ଦୁଆରେ ଶଙ୍କୁଡ଼ି ଓ ନିଶଙ୍କୁଡ଼ି ଭୋଗ ବା ଚ଼ାଚେରୀ ଖାଇ ରାଜାଗ୍ନି ପରେ ମନ୍ଦିରକୁ ବାହୁଡ଼ନ୍ତି। ପରିଚ୍ଛାଙ୍କ ଦୁଆରେ ମା’ ଭଗବତୀ କାଠି ଠାକୁରାଣୀ ଙ୍କ ପାଇଁ ଆମିଷ ଭୋଗ ବଢ଼ା ହେଉଥିଲାବେଳେ ଶ୍ରୀ ରଙ୍କନାଥ ଦେବଙ୍କ ପାଇଁ ନିଶଙ୍କୁଡ଼ି ଭୋଗବଢା ହୋଇ ଉଭୟଙ୍କୁ ବେଲପତ୍ର ତୁଳସୀ ପଡ଼ି ଭୋଗ ଲାଗି ହେଉଥିବାର ନିଆରା ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି।

ଶ୍ରୀକ୍ଷେତ୍ର ପରି ବାଣପୁରରେ ଦୁର୍ଗାମାଧବ ଉପାସନାର ପ୍ରତୀକ ଏହି ଚ଼ାଚ଼େରୀ ବେଶ ଅତ୍ୟନ୍ତ ମନମୁଗ୍ଧକର। ଶ୍ରୀ ଜଗନ୍ନାଥପ୍ରେମୀ ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ର ଯାଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଯେତିକି ପୂଣ୍ୟ ଅର୍ଜନ କରନ୍ତି,ନଯାଇ ପାରିଲେ ଲୀଳକ୍ଷେତ୍ରକୁ ଆସି ବ୍ରହ୍ମ ଶ୍ୱର୍ଶୀ ଶ୍ରୀ ରଙ୍କନାଥଙ୍କୁ ଦର୍ଶନ କଲେ ସେତିକି ପୂଣ୍ୟଫଳ ମିଳେ ବୋଲି ବିଶ୍ୱାସ ଅଛି। ଯବନମାନଙ୍କ ଆକ୍ରମଣ କାଳରେ ଶ୍ରୀଜଗନ୍ନାଥ ସାତ ସାତ ଥର ଆସି ବାଣପୁରରେ ଗୋପନଲୀଳା ପ୍ରକଟ କରିଥିବାର କଥା ମାଦଳାପାଞ୍ଜିରେ ଉଲ୍ଲିଖିତ ଅଛି। କେତେବେଳେ ସ୍ଵଦେହରେ ତ କେତେବେଳେ କଳେବରରୁ କେବଳ ବ୍ରହ୍ମଙ୍କୁ ଆଣି ବାଣପୁରର ଘଞ୍ଚବନାନୀରେ ବିଜେ କରାଯାଇ ନିତ୍ୟ ସେବା କରାଯାଉଥିଲ।ନାଏବ ସୁବେଦାର ଅହମ୍ମଦ ବେଗ୍ ଶ୍ରୀମନ୍ଦିରକୁ ଆକ୍ରମଣ କାଳରେ ସେବକମାନେ କେବଳ ବ୍ରହ୍ମଙ୍କୁ ପାଟବସ୍ତ୍ର ଦେହରେ ଆଛାଦିତ କରି ଆଣି ବାଣପୁରର ଅନ୍ଧାରି ମହିମଠାରେ ପାହାଡ଼ ଖୋଲରେ ରଖି ସେବାପୂଜା କରୁଥିଲେ।

ପରବର୍ତ୍ତୀ କାଳରେ ବଙ୍କାଡ଼ଗଡ଼ ରାଜାଙ୍କ ଅନୁରୋଧକ୍ରମେ ଗଜପତି ମହାରାଜା ଚ଼ତୁର୍ଦ୍ଧାମୂର୍ତ୍ତି କରାଇ ବ୍ରହ୍ମଙ୍କୁ ସ୍ଥାପନ କରି ଅସ୍ଥାୟୀ କାଷ୍ଟମଣ୍ଡପରେ ବିଜେ କରାଯାଇ ଦୈନନ୍ଦିନ ସେବାପୂଜା କରାଗଲା। ନାଏବେ ସୁବେଦାର ର ଦିଲ୍ଲୀ ପ୍ରତ୍ୟାବର୍ତ୍ତନ ପରେ ଶ୍ରୀଜୀଉଙ୍କ ଠାରୁ ବ୍ରହ୍ମ ଓ ଲାଗି କରି ଶ୍ରୀକ୍ଷେତ୍ର ନେଇ ନବକଳେବର ପରେ ନୀଳାଦ୍ରୀବିଜେ କରାଯାଇଥିବା କଥା ଗବେଷକମାନେ ମତ ଦିଅନ୍ତି। ବାଣପୁରର ସେହି ଅନ୍ଧାରି ଅରଣ୍ୟରେ ଯେଉଁ ବିଗ୍ରହ ଗଢ଼ା ହୋଇଥିଲେ ପରବର୍ତ୍ତୀକାଳରେ, ବ୍ରହ୍ମଶୂନ୍ୟ ହୋଇ ସେଠାରେ ପଡ଼ିରହିଲେ।

ଶେଷରେ ବାଣପୁର ରାଜା ବିଗ୍ରହମାନକୁ ଉଦ୍ଧାର କରି ଆଣି ନିଳାଦ୍ରୀ ପ୍ରସାଦ,ଠାରେ ପରେ ପରେ ବାଣପୁରଠାରେ ଆଣି ବିଜେ କରାଇ ନୀତିକାନ୍ତି ସେବାପୂଜା ପାଇଁ ନିଯୋଗୀ ସେବାୟତ ଓ ଜମିବାଡ଼ି ଖଞ୍ଜା କରି ପରିସ୍ଥିତିରେ ପଡ଼ି କୃଷ୍ଣପ୍ରସାଦଗଡ଼କୁ ଚାଲିଯିବା କଥା ଗବେଷଣାରୁ ଜଣା ପଡେ। ଏହି ସେହି ବ୍ରହ୍ମସ୍ପର୍ଶୀ ଶ୍ରୀଜଗନ୍ନାଥ ବାଣପୁରରେ ଶ୍ରୀ ରଙ୍କନାଥ ନାମରେ ପରିଚିତ,ସତ୍ୟ ଆଉ ବିଶ୍ୱାସର ଠାକୁର ଏହି ସେହି ଠାକୁର ଯାହାଙ୍କ ନାମ ଧରିଲେ ସତକଥା ବାହାରିପଡ଼େ।

ଶ୍ରୀଜିଉଙ୍କ ଆଜି ଏକାଦଶୀ ତିଥିରେ ମଙ୍ଗଳ ଆଳତୀ, ଅବକାଶ, ପରେ ବଲ୍ଲଭ ଧୂପପରେ ଏହି ଚ଼ଚେରୀ ବେଶ କରାଯାଇଥିଲା। ଶ୍ରୀଜିଉଙ୍କ ପରମ ସେବକ ଚନ୍ଦ୍ରଶେଖର ହୋତା, ପରିଚାଳନା କମିଟିର ଦାଶରଥି ସାହୁ, ଦେବଦତ୍ତ ପାଣି, ବାଳମୁକୁନ୍ଦ ଦାସ, ପଦ୍ମଚରଣ ମହାପାତ୍ର ଏହି ବେଶରେ ସହଯୋଗ କରିଥିଲେ।

Share This Article