ବିଧାନସଭାରେ ତୁମୁଳ କାଣ୍ଡ, ଶାସକ ବିରୋଧୀଙ୍କ ମଧ୍ୟରେ ଧକ୍କା ମରାମରି, ସାତଦିନ ପାଇଁ ନିଲମ୍ବିତ ହେଲେ ତାରା

Odisha Hot News
2 Min Read

ଭୁବନେଶ୍ବର: ଆଜି ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ପ୍ରସଂଗକୁ ନେଇ ବିଧାନସଭାରେ ତୁମୁଳ କାଣ୍ଡ ଘଟିଯାଇଛି। ବିରୋଧୀ କଂଗ୍ରେସ ଏବଂ ବିଜେପି ସଦସ୍ୟଙ୍କ ମଧ୍ୟରେ ଧକ୍କା ମରାମରି ସ୍ଥିତି ସୃଷ୍ଟି ହୋଇଛି। ଯାହାକୁ ନେଇ ଗୃହରେ ବଡ ଉତ୍ତେଜନ ସୃଷ୍ଟି ହୋଇଛି। ଜୟନାରାୟଣ ମିଶ୍ର ଓଡିଶାକୁ କଣ ଭାଗଭାଗ କରିବେ କି ବୋଲି ବିଜେଡି ସଦସ୍ୟ ପ୍ରଶ୍ନ କରିଥିଲେ। ଯାହାକୁ ନେଇ ଗୃହରେ ହାଙ୍ଗାମା ସୃଷ୍ଟି ହୋଇଥିଲା।

ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟଗଣ ରାଜ୍ୟରେ ନାରୀ ନିର୍ଯ୍ୟାତନ ବୃଦ୍ଧିକୁ ନେଇ ଗୃହରେ ହଟ୍ଟଗୋଳ କରିଥିଲେ। ହାତରେ ପ୍ଲାକାର୍ଡ ଧରି ସେମାନେ ଗୃହ ମଧ୍ୟକୁ ଆସି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ। କଂଗ୍ରେସ ବିଧାୟକ ତାରାବାହିନୀ ପତି ବାରମ୍ବାର ବାଚସ୍ପତିଙ୍କ ଟେବୁଲ ଉପରକୁ ଚଢି ଗୃହରେ ହାଙ୍ଗାମା କରିଥିଲେ।

ସେହିପରି ବିଜେଡି ସଦସ୍ୟଗଣ ଜୟନାରାୟଣ ମିଶ୍ରଙ୍କ କୋଶଳ ବିବୃତିକୁ ନେଇ ହଟ୍ଟଗୋଳ ଆରମ୍ଭ କରିଥିଲେ। ସେମାନେ ମୁଖ୍ୟମନ୍ତ୍ରୀ ଏହା ଉପରେ ବିବୃତି ରଖନ୍ତୁ ବୋଲି ଦାବୀ କରିଥିଲେ। ଗୃହ ମଧ୍ୟଭାଗକୁ ଆସି ସେମାନେ ମଧ୍ୟ ହାଙ୍ଗାମା କରିଥିଲେ। ଏହାପରେ ମଧ୍ୟ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ବାଚସ୍ପତି ଜାରୀ ରଖିଥିଲେ। ଏହି ସମୟରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଉତ୍ତର ରଖୁଥିଲେ। ହେଲେ ତାଙ୍କୁ ବିରୋଧୀ ସଦସ୍ୟ କହିବାକୁ ଦେଇ ନ ଥିଲେ।

ତାଙ୍କ ପାଖରେ ବସିଥିବା ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସଦସ୍ୟଙ୍କୁ ଆଗରୁ ଉଠିଯିବାକୁ କହିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଏହା ଭିତରେ ଉଭୟ ସଦସ୍ୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ମନ୍ତ୍ରୀ ମୁକେଶ କିଛି ବିଜେପି ବିଧାୟକଙ୍କ ସାହାଯ୍ୟ କରିବା ପାଇଁ ହାତରେ ଇସାରା ଦେଇଥିଲେ। ଫଳରେ ବାବୁ ସିଂ ପରି କେତେକ ବିଧାୟକ ବିରୋଧୀ ସଦସ୍ୟଙ୍କ ଆଗକୁ ଆସି ପ୍ରତିରୋଧ କରିଥିଲେ।

ଏହା ଭିତରେ ଜୟନାରାୟଣ ମିଶ୍ର ତାରା ବାହିନୀ ପତିଙ୍କୁ ଧକ୍କା ମାରିଥିବାରୁ ଅଭିଯୋଗ ହୋଇଛି। ଯାହାକୁ ନେଇ ଗୃହରେ ଉତ୍ତେଜନା ଦେଖାଦେଇଥିଲା। ହେଲେ ପରେ ବାଚସ୍ପତି ତାରା ବାହିନୀପତିଙ୍କୁ ସାତଦିନ ପାଇଁ ଗୃହରୁ ନିଲମ୍ବିତ କରିଥିଲେ। ତେବେ ତାଙ୍କ ଗତକାଲି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ ଅଭିଯୋଗରେ ଏହି ନିଲମ୍ବନ କରାଯାଇଥିଲା। ଯାହାକୁ ନେଇ ଗୃହ କାର୍ଯ୍ୟ ଶେଷ ହେବା ପରେ ମଧ୍ୟ ତାରାବାହିନୀ ପତି ଗୃହ ଭିତରେ ପ୍ରତିବାଦ କରିଥିଲେ।

ବିଧାନସଭାରେ ଏପରି ଅବସ୍ଥା ଦେଖି ବାଚସ୍ପତି ଗୃହକୁ ବାରମ୍ବାର ମୁଲତବି ଘୋଷଣା କରିଥିଲେ।

Share This Article