ଖଲାଶୁଣୀ ଅଭୟାରଣ୍ୟରେ ଅବାଧରେ ଜନ୍ତୁ ଶିକାର: ଝିଙ୍କ, ଗୁରାଣ୍ଡି, ସମ୍ବର ଶିଙ୍ଘ ସହ ବନ୍ଧୁକ ଜବତ

Odisha Hot News
1 Min Read

ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ କିସିଣ୍ଡା ନିକଟ ଖଳାଶୁଣି ବନ୍ୟପ୍ରାଣୀ ବନାଞ୍ଚଳ, ବାମରା ବନ୍ୟପ୍ରାଣୀ ବନଖଣ୍ଡ ଖଳାଶୁଣୀ ଅଭୟାରଣ୍ୟ ଅଂଚଳରୁ ଜନ୍ତୁ ଶିକାର ଅଭିଯୋଗରେ ବନବିଭାଗ ଗଏଲମୁଣ୍ଡି ଗ୍ରାମରେ ଚଢଉ କରି ଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ। ପ୍ରକାଶ ଯେ, ନାକଟିଦେଉଳ ବ୍ଲକ ଗିରିଶ୍ଚନ୍ଦ୍ରପୁର ଗ୍ରାମ ପଂଚାୟତ ଗଏଲମୁଣ୍ଡି ଗ୍ରାମରେ କିଛି ଶିକାରୀ ଜନ୍ତୁ ଶିକାର କରି ରାଜ କୁମାରଙ୍କ ଘରେ ରଖି ଥିବାର ବନ ବିଭାଗ ଖବର ପାଇ ଚଢ଼ାଉ କରିଥିଲା। ହେଲେ ଚଢ଼ାଉ କରିଵା ପୂର୍ବରୁ ଶିକାରୀମାନେ ବନ ବିଭାଗକୁ ଚକମା ଦେଇ ଫେରାର ହେବାରେ ସକ୍ଷମ ହୋଇଥିଲେ।

ଗଏଲମୁଣ୍ଡି ଗ୍ରାମର ରାଜ କୁମାରଙ୍କ ଘରୁ ବନବିଭାଗ ଗୋଟିଏ ଝିଙ୍କ, ଗୁରାଣ୍ଡି, ସମ୍ବର ଶିଙ୍ଘ ୨ଟି, ଝିଙ୍କି କାଠି ୨ ବଂଡଲ, ମୟୁର ଝାଲୀ ୨ ବଂଡଲ, ବନ୍ଧୁକ ଗୋଟିଏ, ଅଫୁଟା ଗୁଳି ୧୫, ଛଲରା ଗୁଳି ୭୬, ଫାସ ୧୦ ବଂଡଲ ଓ ବାଟୁଳି ଖଡା ୧ ଟି, ଛୁରୀ ୨ ଟି, ଟାଙ୍ଗିଆ ୧ ଟି ଆଦି ଜବତ କରିଥିଲା।

ଅଭିଯୁକ୍ତ ଶିକାରୀ ଗଏଲମୁଣ୍ଡି ଗ୍ରାମର ରାଜ କୁମାର, ଭୁଲୁକି ଗ୍ରାମର ଚକ୍ରଧର ସମର୍ଥା ଓ କବି ନାଏକ ଫେରାର ହେବାରେ ସକ୍ଷମ ହୋଇ ଥିଲେ। ଶିକାର ହୋଇ ଥିବା ଜନ୍ତୁ କୁ ପ୍ରାଣୀ ଧନ ବିଭାଗର ଡାକ୍ତର ଶବ ବ୍ୟବଛେଦ କରି ସାରିବା ପରେ ପୋତି ଦିଆ ଯାଇଥିଲା। ଶୀକାରୀ ମାନଙ୍କୁ ଖୁବ ଶୀଘ୍ର ଧରା ଯିବ ବୋଲି ରେଞ୍ଜ ଅଧିକାରୀ ମହେନ୍ଦ୍ର କୁମାର ସାହୁ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।

Share This Article