ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ୫ ଗିରଫ: ଦୁଇ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଜବତ

Odisha Hot News
1 Min Read

ଭୁବନେଶ୍ଵର: ମାଲକାନଗିରି ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ମୋଟ ୫ ଜଣଙ୍କୁ ଆଜି ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି। ୨ ଦିନର ଲଗାତାର ତଦନ୍ତ ବେଳେ ଭିଜିଲାନ୍ସ ବିଭାଗ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଠାରୁ ୨ କୋଟି ୭ ଲକ୍ଷରୁ ଉର୍ଦ୍ଧ୍ଵ ନଗଦ ଟଙ୍କା ସହ ସହଯୋଗୀଙ୍କ ଠାରୁ ୬ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା।

ଏଥିସହ ଶାନ୍ତନୁଙ୍କ ୭ଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ମୋଟ ୪ଟି ଦାମୀ ପ୍ଲଟ୍ ସହ ୪୨୨ ଗ୍ରାମ ସୁନା, ୯୧ ଲକ୍ଷର ବ୍ୟାଙ୍କ ଡିପୋଜିଟ, ଗୋଟିଏ ଚାରି ଚକିଆ ଗାଡ଼ି, ୨ଟି ଦୁଇଚକିଆ ଗାଡ଼ି, ୨୯ ଲକ୍ଷରୁ ଅଧିକ ଟଙ୍କାର ଘର କରଣା ସାମଗ୍ରୀ ଭିଜିଲାନ୍ସ ଠାବ କରିଛି। ମାମଲାରେ ଶାନ୍ତନୁଙ୍କ ସହ ମାଲକାନଗିରି କୃଷି ସହକାରୀ ଯନ୍ତ୍ରୀ ମୋହନ ମଣ୍ଡଳ, ଡାଟା ଏଣ୍ଟ୍ରି ଅପରେଟର ବିଶ୍ୱଜିତ ମଣ୍ଡଳ, ଚୁକ୍ତି ଭିତିକ କର୍ମଚାରୀ ଅମୀୟ କାନ୍ତ ସାହୁ ଏବଂ ଜନସେବା କେନ୍ଦ୍ର କର୍ମଚାରୀ ଅଲେଖ ଚନ୍ଦ୍ର ପ୍ରଧାନଙ୍କୁ ଭିଜିଲାନ୍ସ ଗିରଫ କରିଛି।

ତେବେ ଗଞ୍ଜାମ ଜିଲ୍ଲାର ଅଲେଖ ଚନ୍ଦ୍ର ପ୍ରଧାନଙ୍କ ଏକ ଜନସେବା କେନ୍ଦ୍ର ଥିବା ବେଳେ ସେ ଶାନ୍ତୁନୁଙ୍କ ପାଇଁ ମଧ୍ୟସ୍ତି ଭାବେ କାର୍ଯ୍ୟ କରି ଅର୍ଥ କାରବାର କରାଉଥିବାରୁ ତାଙ୍କୁ ଗିରଫ କରାଯାଇଛି। ଡିଇଓ ବିଶ୍ୱଜିତ ମଣ୍ଡଳ ଓ କଣ୍ଟ୍ରାଚୁଆଲ ଷ୍ଟାଫ୍ ଅମୀୟକାନ୍ତ ସାହୁଙ୍କ ଘରୁ ଶତାଧିକ ବ୍ୟାଙ୍କ ପାସବୁକ୍ ଜବତ ହୋଇଥିବା ବେଳେ ଏସବୁ କିଛି ଶ୍ରମିକଙ୍କ ନାମରେ ରହିଛି। ସମସ୍ତ ୫ଜଣଙ୍କୁ ଗିରଫ ପରେ ଭିଜିଲାନ୍ସ ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି।

Share This Article