ଆଗାମୀ ଗ୍ରୀଷ୍ମ ପ୍ରବାହ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା

Odisha Hot News
1 Min Read

ପୁରୀ: ଆଗାମୀ ଗ୍ରୀଷ୍ମ ପ୍ରବାହ ପାଇଁ ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ ସୁବିଧା ଯୋଗାଇ ଦେବାକୁ ବିବିଧ ବ୍ୟବସ୍ଥା କରୁଛି ପ୍ରଶାସନ। ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହ ପରିସରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିବା ସହ ଶ୍ରଦ୍ଧାଳୁ ମାନେ ଯେପରି ଖରାରେ ହଇରାଣ ନ ହୋଇ ଏକ ସୁଖଦ ଅନୁଭବ ନେଇ ଫେରିବେ ସେଥିପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ। ସମସ୍ତ ବିଭାଗ ଅତ୍ୟନ୍ତ ନିଷ୍ଠାର ସହ ସେମାନଙ୍କ ବିଭାଗର ଦାୟିତ୍ୱ କୁ ସେଠାରେ ନିର୍ବାହ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଗ୍ରୀଷ୍ମ ପ୍ରବାହ ସମୟରୁ ବର୍ଷା ଋତୁ ପର୍ଯ୍ୟନ୍ତ ପାନୀୟ ଜଳର ବ୍ୟବସ୍ଥା ଓ ଜଳ ସିଞ୍ଚନ ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ବ୍ୟାପକ ଭାବେ ଛାଇ ବ୍ୟବସ୍ଥା କରିବା, ପାନୀୟ ଜଳ ବ୍ୟବସ୍ଥା, ତଳେ ମ୍ୟାଟ ବ୍ୟବସ୍ଥା, ଆଶୁ ଚିକିତ୍ସା ବ୍ୟବସ୍ଥା,ପରିଷ୍କାର ପରିଛନ୍ନତା ବ୍ୟବସ୍ଥା, ଶୌଚାଳୟ ବ୍ୟବସ୍ଥା,ଆଇନ ଶୃଙ୍ଖଳା ବ୍ୟବସ୍ଥା, ସ୍ବେଚ୍ଛାସେବୀ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ବିଷଦ ଆଲୋଚନା କରାଯାଇଥିଲା।

ସେହିପରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଡାକବାଜି ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଓ ପରିବ୍ୟାପ୍ତ କରାଯିବାକୁ ପରାମର୍ଶ ଦିଆଯାଇଥିବା ବେଳେ ସିଂହଦ୍ୱାର ବ୍ୟତୀତ ଅନ୍ୟ ତିନି ଦ୍ୱାରରେ ଲଗାଇବାକୁ ନିଷ୍ପତି ହୋଇଅଛି। ଯାହା ଫଳରେ ହଜୁଥିବା ଓ ତାଙ୍କୁ ଖୋଜୁଥିବା ଶ୍ରଦ୍ଧାଳୁ ମାନେ ଶିଘ୍ର ମିଳିବା ସମ୍ଭବ ହେବ।

ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ଙ୍କ ସମେତ ପୁରୀ ଏସ ପି ବିନୀତ ଅଗ୍ରୱାଲ ଉପସ୍ଥିତ ରହି ଶ୍ରଦ୍ଧାଳୁ ମାନଙ୍କ ସୁବିଧା ପ୍ରତି ସମ୍ମିଳିତ ଭାବେ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ।

Share This Article