ଓଡ଼ିଆ ଭାଷାରେ ଇଗ୍ନୋର ଏମବିଏ ଅଧ୍ୟୟନ ପୁସ୍ତିକା ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

Odisha Hot News
2 Min Read

ଭୁବନେଶ୍ୱର: ଓଡ଼ିଶା ଏକ ଜ୍ଞାନ ଆଧାରିତ ସମାଜ ଏବଂ ଭାଷା ଆମ ପ୍ରଗତିର ସବୁଠୁ ବଡ଼ ସହାୟକ। ଭାଷାର ପ୍ରଗତିରେ ହିଁ ସମାଜର ପ୍ରଗତି ଘଟିଥାଏ ବୋଲି ମଙ୍ଗଳବାର ଭୁବନେଶ୍ୱର ଠାରେ ଏଆଇସିଟିଇ ସହଯୋଗରେ ଇନ୍ଦିରା ଗାନ୍ଧୀ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର ଏମବିଏ ଅଧ୍ୟୟନ ପୁସ୍ତିକା ଓଡ଼ିଆ ଭାଷାରେ ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି ଆଜିର ପଦକ୍ଷେପ ଦ୍ୱାରା ଓଡ଼ିଶାର ଉଚ୍ଚ ଶିକ୍ଷା ତଥା ବୈଷୟିକ ଶିକ୍ଷା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡିହେଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ପ୍ରୋତ୍ସାହିତ କରିବା ଦିଗରେ ଏହା ଏକ ସାଧୁ ଉଦ୍ୟମ। ଭାରତରେ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷାର ଅଗ୍ରଗତିରେ ଏଆଇସିଟିଇର ଭୂମିକା ଅତୁଳନୀୟ। ଉଭୟ ଇଗ୍ନୋ ଏବଂ ଏଆଇସିଟିଇ ଦେଶ ତଥା ଦେଶ ବାହାରେ ବିଭିନ୍ନ ଶିକ୍ଷାର୍ଥୀଙ୍କୁ ସୁଲଭ ମୂଲ୍ୟରେ ଶିକ୍ଷଣ ସୁଯୋଗ ପ୍ରଦାନ କରି ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏଆଇସିଟିଇ ଆଜି ତାହାର ସମସ୍ତ ବୈଷୟିକ ଶିକ୍ଷାଦାନକୁ ଭାରତୀୟ ଭାଷାକୁ ଯୋଡ଼ିଛି। ଆଜି ଏହି ଦୁଇ ଅନୁଷ୍ଠାନ ମିଳିତ ଭାବରେ ଓଡ଼ିଆ ଭାଷାରେ ଏମବିଏ କୋର୍ସର ପାଠ୍ୟପୁସ୍ତକ ପ୍ରସ୍ତୁତ କରି ସାମଗ୍ରିକ ଶିକ୍ଷା ଦିଗରେ ନିଜର ସମର୍ପଣ ଭାବନାକୁ ପ୍ରମାଣିତ କରିଛନ୍ତି। ଏହି ପ୍ରୟାସ ପାଇଁ ଶ୍ରୀ ପ୍ରଧାନ ଇଗ୍ନୋ ଏବଂ ଏଆଇସିଟିଇକୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରଗତିଶୀଳ ରାଷ୍ଟ୍ର ଗୁଡ଼ିକରେ ଇଂରାଜୀ ଭାଷାର ବ୍ୟବହାସ କମ ହେବା ସତ୍ତ୍ୱେ ରାଷ୍ଟ୍ର ଗୁଡ଼ିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବହୁତ ଉନ୍ନତ ଓ ସଶକ୍ତ। ଜନ୍ମ ନେଉଥିବା ଶିଶୁ ନିଜର ପ୍ରାରମ୍ଭିକ ଅବସ୍ଥାରେ ମାତୃଭାଷାରେ ପାଠ ପଢିଲେ ହିଁ ତା’ର ବୌଦ୍ଧିକ କ୍ଷମତାର ବିକାଶ ଘଟିଥାଏ ବୋଲି ଅନେକ ବୈଜ୍ଞାନିକ ମତ ପ୍ରକାଶ କରିଛନ୍ତି। ମୌଳିକ ଚିନ୍ତାଧାରାକୁ ବଢେଇବା ପାଇଁ ହେଲେ ଆମକୁ ମାତୃଭାଷା ଆଧାରିତ ଶିକ୍ଷା ପ୍ରଦାନ କରିବାକୁ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଓଡିଆ ଏକ ପ୍ରାଚୀନ ଭାଷା ଯାହାର ସମୃଦ୍ଧ ଇତିହାସ ଓ ଐତିହ୍ୟ ରହିଛି । ୨୦୧୪ ମସିହାରୁ ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା। ଓଡ଼ିଆ ଭାଷାର ଶିକ୍ଷାକୁ ଗଭୀର କରିବା ପାଇଁ ଓଡ଼ିଶା ସରକାର ପ୍ରୟାସ ଜାରି ରଖିଛନ୍ତି। ଓଡ଼ିଆ ଭାଷା ଓ ଶିକ୍ଷାର ପରିସର ବୃଦ୍ଧି କରିବା ଆମ ପାଇଁ ଏକ ପ୍ରାଥମିକତା ଏଜେଣ୍ଡା । ଏହି ପରିପ୍ରେକ୍ଷୀରେ ଆଜିର କାର୍ଯ୍ୟକ୍ରମ ଏହି ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ। ଏଆଇସିଟିଇ ସହଯୋଗରେ ଇଗ୍ନୋ ଇ-କୁମ୍ଭ ପ୍ରକଳ୍ପ ଅଧୀନରେ ୧୨ଟି ଭାରତୀୟ ଭାଷାରେ ଇଗ୍ନୋର ଏମବିଏ ପାଠ୍ୟକ୍ରମ ଅନୁବାଦ କରୁଛି ।

Share This Article