“ଭାଇ” ଚଳଚ୍ଚିତ୍ରର ଅଡିଓ ରିଲିଜ୍, ୨୪ ଜାନୁଆରୀରେ ଶୁଭମୁକ୍ତି

Odisha Hot News
1 Min Read

ଭୁବନେଶ୍ଵର: ଆମର ଷ୍ଟୁଡିଓ ଏବଂ ଶ୍ରେୟାନ୍ସ ପ୍ରଡ଼କସନ୍ସ ବ୍ୟାନରରେ ପ୍ରସ୍ତୁତ ନବୀନ ଭଣ୍ଡାରୀ ଏବଂ କାଜଲ ରାୟଙ୍କ ପ୍ରଯୋଜନରେ ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ଭାଇ” ର ଅଡିଓ ରିଲିଜ୍ ହୋଇଛି ତା’ ସହିତ ଆସନ୍ତା ଜାନୁଆରୀ ୨୪ ତାରିଖରେ ବଡ଼ ପରଦାରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ଘୋଷଣା ହୋଇଛି। ତାଣ୍ଡବ ,ମାଲ୍ୟଗିରି ଓ ‘ଗୁପଚୁପ’ର ନିର୍ଦ୍ଦେଶକ ପୃଥୀରାଜ ପଟ୍ଟନାୟକ ‘ଭାଇ’ର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି। ଅଭିନେତା ସୁଜିତ ଭାଇ ଏବଂ ଦିବ୍ୟା ଭଉଣୀ ଚରିତ୍ରରେ ନଜର ଆସିବେ। ନାୟକ ଅମ୍ଳାନ ଦାସଙ୍କର ବଳିଷ୍ଠ ଅଭିନୟ ଏଥିରେ ଦେଖିବାକୁ ମିଳିବ।

ଅଭିନେତ୍ରୀ ଅନନ୍ୟା ଏବଂ ଗୁପଚୁପ ଓ ଦୃଷ୍ଟିକୋଣ ଚଳଚ୍ଚିତ୍ରର ଅଭିନେତା ବିକାଶ ମଧ୍ୟ ଭାଇ ରେ ଅଭିନୟ କରିଛନ୍ତି। ଭାଇ ର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନାରେ ପୃଥୀରାଜ ଥିବା ବେଳେ ସଂଳାପ ରଚନା କରିଛନ୍ତି ରବିନାରାୟଣ ଦାସ। ଗୀତ ଅରୁଣ ମନ୍ତ୍ରୀ ଓ ରଞ୍ଜନ ନାୟକ ରଚନା କରିଛନ୍ତି।

ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନବ୍ସ ସରୋଜ। ଚିତ୍ରତ୍ତୋଳନ କରିଛନ୍ତି ରୁଦ୍ର।

ଓଡ଼ିଶାର ବିଭିନ୍ନ ସ୍ଥାନ ତଥା ଓଡ଼ିଶା ବାହାରେ ମନାଲି, ଲଦାଖ ଇତ୍ୟାଦି ସ୍ଥାନରେ ମଧ୍ୟ ଏହାର ସୁଟିଂ ହୋଇଛି। ଏହି ଚଳଚ୍ଚିତ୍ରକୁ ନେଇ ନାୟକ ଅମ୍ଳାନ, ନାୟିକା ଦିବ୍ୟା ଓ ଅନନ୍ୟା ପ୍ରମୁଖ ବେଶ୍ ଆଶାବାଦୀ ଅଛନ୍ତି।

ଭାଇ-ଭଉଣୀର ସମ୍ପର୍କ, କର୍ତ୍ତବ୍ୟକୁ ନେଇ ଏହି ଚଳଚ୍ଚିତ୍ରକୁ ଚମତ୍କାର କରିବା ନିମନ୍ତେ ପ୍ରୟାସ କରିଛନ୍ତି ନିର୍ଦ୍ଦେଶକ ପୃଥ୍ଵୀରାଜ ପଟ୍ଟନାୟକ। ଏଥିରେ ପାରିବାରିକ କାହାଣୀ ସହ ଆକ୍ସନ୍‌କୁ ବେଶ୍ ଗୁରୁତ୍ଵ ଦିଆଯାଇଛି। ଏହି ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ଦାୟିତ୍ୱରେ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଅଛନ୍ତି।

Share This Article