ଶେଷ ପର୍ଯ୍ୟାୟରେ ଅଲିଭରିଡଲେଙ୍କ ସଙ୍ଗମ ପର୍ବ

Odisha Hot News
2 Min Read

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗଞ୍ଜାମ ନିକଟ ଋଷିକୁଲ୍ୟା ମୁହାଣ ସଂଲଗ୍ନ ନୀଳ ସମୁଦ୍ରରେ ବିରଳ ଅଲିଭରିଡ୍‌ଲେ କଇଁଛଙ୍କ ସଙ୍ଗମ ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତବର୍ଷ ଗଣ ଅଣ୍ଡାଦାନ ପାଇଁ ପାଗ ଅନୁକୂଳ ରହିଛି। ଧୀରେ ଧୀରେ ଦକ୍ଷିଣା ପବନ ଆରମ୍ଭ ହେଲାଣି ଏଣୁ ଚଳିତଥ ଅପେକ୍ଷା ଲକ୍ଷାଧିକ କଇଁଛ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେବେ ବୋଲି ଆଶା କରାଯାଉଛି।

ଅଲିଭ ରିଡଲେ ଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଗତବର୍ଷ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗଣଅଣ୍ଡାଦାନ ହୋଇ ନଥିଲା। ପ୍ରାୟ ୨ ହଜାର କଇଁଛ ବିକ୍ଷିପ୍ତ (ସ୍ପୋରାଡିକ୍) ଅଣ୍ଡାଦାନ କରିଥିଲେ କିନ୍ତୁ ଏବର୍ଷ ସମୁଦ୍ରରେ ଲକ୍ଷାଧିକ କଇଁଛଙ୍କ ସମାଗମ ରହିଥିବା ଦେଖିବାକୁ ମିଳିଛି। ଶୀତଋତୁ ଆରମ୍ଭ ହେବା କ୍ଷଣି ନଭେମ୍ବର ମାସରେ ଶ୍ରୀଲଙ୍କା ଉପକୂଳରୁ ଲକ୍ଷାଧିକ ସଂଖ୍ୟାରେ କଇଁଛ ଓଡ଼ିଶା ଉପକୂଳମୁହାଁ ହୋଇଥାନ୍ତି। ଋଷିକୁଲ୍ୟା ମୁହାଣ ସଂଲଗ୍ନ ବାଲୁକାଶଯ୍ୟାରେ କଇଁଛ ଗଣଅଣ୍ଡାଦାନ କରିଥାନ୍ତି।

ବର୍ତ୍ତମାନ ସମୁଦ୍ରକୂଳରୁ ୧କିମି ପରେ ୧୦ କିମି ପର୍ଯ୍ୟନ୍ତ ଜଳରାଶି ଭିତରେ କଇଁଛଙ୍କ ମିଳନ ପର୍ବ ଚାଲିଛି। ମିଳନ ପର୍ବ ଶେଷ ପର୍ଯ୍ୟାୟରେ ଥିବା mବେଳେ ଫେବ୍ରୁଆରି ମାସ ଶେଷ ସପ୍ତାହରେ ଗଣଅଣ୍ଡାଦାନ ଆରମ୍ଭ ହେବା ଅନୁମାନ କାରାଯାଉଛି। କଇଁଛଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଣଅଣ୍ଡାଦାନ ପୂର୍ବରୁ ବ୍ରହ୍ମପୁର ଡିଏଫ୍‌ଓ ସନି ଖୋଖର୍ ପୁରୁଣାବନ୍ଧ ଠାରୁ ବଟେଶ୍ଵର ପର୍ଯ୍ୟନ୍ତ ପାଞ୍ଚ କିମି ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି। ଶହେ ମିଟର୍ ବ୍ୟବଧାନରେ ୫୦ ଟି ସେଗମେଣ୍ଟ୍ କରାଯିବା ସହ ସହ ଆଠଟି କୃତ୍ରିମ ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା କରିଛି ବନ ବିଭାଗ।

ବେଳାଭୂମିର ଦୁଇକିମି ପର୍ଯ୍ୟନ୍ତ ବାଲୁକାଶଯ୍ୟାରେ ସୁରକ୍ଷାବାଡ଼ କରାଯାଇଛି। ଫଳରେ କୁକୁର ଓ ବିଲୁଆ ସେହି ସ୍ଥାନକୁ ଯାଇ ପାରିବେ ନାହିଁ। ପ୍ରତିଦିନ ବୋଟ୍ ମାଧ୍ୟମରେ ଫରେଷ୍ଟରଙ୍କ ତତ୍ତ୍ୱାବଧାନରେ ସମୁଦ୍ରରେ ପାଟ୍ରୋଲିଂ କରାଯାଉଛି। ମିଳନ ପର୍ବ ଠାରୁ ଆରମ୍ଭ କରି ଗଣଅଣ୍ଡାଦାନ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ୧୪୦ ଜଣ ସୁରକ୍ଷାକର୍ମୀ ନିୟୋଜିତ ହେଇଛନ୍ତି।

Share This Article