ଗଞ୍ଜାମ ଗସ୍ତରେ ହାଇକୋର୍ଟ ମୁଖ୍ୟ ବିଚାରପତି

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଦିନିକିଆ ଗଞ୍ଜାମ ଗସ୍ତରେ ଆସି ବ୍ରହ୍ମପୁରସ୍ଥିତ ଜିଲ୍ଲା ଦୌରାଜଜ୍ କୋର୍ଟ ପରିଦର୍ଶନ କରିଛନ୍ତି। ନୂତନ ଭାବେ ନିର୍ମାଣ ହେବାକୁ ଥିବା ଜୁଡିସିଆଲ୍ କମ୍ପ୍ଲେକ୍ସ୍ କୋଠାର ନକ୍ସା ଦେଖିବା ସହ ଜିଲ୍ଲା ଜଜ୍ ଏବଂ ଓକିଲ ସଂଘ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ।

ପୂର୍ତ୍ତ ବିଭାଗ-୧ ଅଧୀକ୍ଷଣ ଯନ୍ତ୍ରୀ ସୋମନାଥ ତ୍ରିପାଠୀ କମ୍ପ୍ଲେକ୍ସର ଢାଞ୍ଚା ସମ୍ପର୍କରେ ମୁଖ୍ୟ ବିଚାରପତିଙ୍କୁ ଅବଗତ କରାଇଥିଲେ। ମୁଖ୍ୟ ବିଚାରପତିଙ୍କ ସହ ଗଞ୍ଜାମର ପ୍ରୋଟୋକଲ୍ ଜଜ୍ ବିଭୂପ୍ରସାଦ ରାଉତରାୟ ମଧ୍ୟ ଉପସ୍ଥିତ ଥିଲେ। ଅପରାହ୍ନରେ ମୁଖ୍ୟ ବିଚାରପତି କୋର୍ଟରେ ପହଞ୍ଚିବା ପରେ ଜିଲ୍ଲାଜଜ୍ ରୂପଶ୍ରୀ ଚୌଧୁରୀ, କ୍ୟାଡର୍ ପିପି ତ୍ରିଲୋଚନ ପରିଡ଼ା ଓ ଗଞ୍ଜାମ ଓକିଲ ସଂଘ ସଭାପତି ନୟନଚନ୍ଦ୍ର ମହାପାତ୍ର ତାଙ୍କୁ ସ୍ବାଗତ କରିଥିଲେ।

ଜିଲ୍ଲା କୋର୍ଟ ପରିସରରେ ୪ ମହଲା ବିଶିଷ୍ଟ ଜୁଡିସିଆଲ୍ କମ୍ପ୍ଲେକ୍ସ୍ ନିର୍ମାଣ ପାଇଁ ଡିପିଆର୍ ହୋଇଛି। ମୁଖ୍ୟ ବିଚାରପତି ଡିପିଆର୍ ଦେଖି ଅଧୀକ୍ଷଣ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଏହି ସମୟରେ ସମସ୍ତ କୋର୍ଟର ବିଚାରପତି ଉପସ୍ଥିତ ଥିଲେ।

ଓକିଲ ସଂଘ କର୍ମକର୍ତ୍ତା ଗଣ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ଉପଜିଲ୍ଲାପାଳ ଧୀନା ଦସ୍ତାଗିର, ବ୍ରହ୍ମପୁର ଏସ୍‌ପି ଡା.ଶରବଣା ବିବେକ ଏମ୍, ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ମୁଖ୍ୟ ବିଚାରପତି ମା’ ତାରାତାରିଣୀ ପୀଠକୁ ଯାଇ ଦର୍ଶନ କରିବା ପରେ କଟକ ଅଭିମୁଖେ ଫେରିଥିବା ସୂଚନା ମିଳିଛି।

Share This Article