ଗଞ୍ଜାମରେ ନିୟନ୍ତ୍ରଣକୁ ଆସିଲା ଡେଙ୍ଗୁ

Odisha Hot News
2 Min Read

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଧୀରେ ଧୀରେ ଡେଙ୍ଗୁ ଜ୍ଵର ନିୟନ୍ତ୍ରଣକୁ ଆସୁଛି। ୨୦୨୪ରେ ଗଞ୍ଜାମ ଜିଲ୍ଲାରେ ଡେଙ୍ଗୁ ପଜିଟିଭ୍ ସଂଖ୍ୟା ୧୦୪ରେ ସୀମିତ ରହି ଥିବା ସୂଚନା ମିଳିଛି। ଗତବର୍ଷ ଚିହ୍ନଟ ହୋଇଥିବା ଡେଙ୍ଗୁ ରୋଗୀ ଙ୍କ ମଧ୍ୟରୁ ୫୦ ଜଣ ବାହାର ରାଜ୍ୟ ଓ ଜିଲ୍ଲାରୁ ସଂକ୍ରମିତ ହୋଇ ଆସିଥିଲେ।

ସେହିପରି ୫୪ଜଣ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। ବାହାରୁ ସଂକ୍ରମିତ ହୋଇ ଆସିଥିବା ରୋଗୀଙ୍କ ନମୁନା ଗଞ୍ଜାମ ସ୍ବାସ୍ଥ୍ୟ ବିଭାଗ ତରଫରୁ ପରୀକ୍ଷା ପରେ ପଜିଟିଭ୍ ହୋଇଥିଲା। ଏଣୁ ସେହି ପଜିଟିଭ୍ ସଂଖ୍ୟା ଗଞ୍ଜାମ ଜିଲ୍ଲାର ତାଲିକାରେ ପଡ଼ିଛି। ନହେଲେ ପଜିଟିଭ୍ ସଂଖ୍ୟା ଆହୁରି କମିଥା’ନ୍ତା। ଗତ କିଛିବର୍ଷ ତଳେ ଗଞ୍ଜାମ ଜିଲ୍ଲାରେ ଡେଙ୍ଗୁ ଜ୍ଵର କାୟା ମେଲିଥିଲା। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସଚେତନତା ଓ ‘ଦମନ’ ଅଭିଯାନର ସଫଳ ରୂପାୟନ ଯୋଗୁଁ ଜିଲ୍ଲାରେ ଡେଙ୍ଗୁ ଜ୍ଵରକୁ ନିୟନ୍ତ୍ରଣ କରାଯାଇପାରିଛି। ବିଶେଷକରି ବର୍ଷା ଦିନରେ ଡେଙ୍ଗୁ ଜ୍ଵର ବ୍ୟାପିଥାଏ। ସ୍ଥିର ପାଣିରେ ଡେଙ୍ଗୁ ମଶାର ବାହକ ଏଡିସ୍ ମଶା ସୃଷ୍ଟି ହୋଇଥାନ୍ତି।

ଗତବର୍ଷ ଯେଉଁ ଅଞ୍ଚଳରୁ ଡେଙ୍ଗୁ ପଜିଟିଭ୍ ମାମଲା ଆସୁଥିଲା, ସେହି ଅଞ୍ଚଳକୁ ସ୍ବାସ୍ଥ୍ୟ ବିଭାଗର ଟିମ୍ ଯାଇ ଲୋକଙ୍କୁ ସଚେତନ କରି ମଶା ଲାର୍ଭା ସୃଷ୍ଟି ହେଉଥିବା ସ୍ଥାନ ଚିହ୍ନଟ କରି ତାହା ସଫା କରିଥିଲା। ସେହିପରି ଦୀର୍ଘଦିନ ଧରି ଗୋଟିଏ ସ୍ଥାନରେ ପାଣି ଜମା ନରଖିବା ପାଇଁ ସଚେତନ କରାଯାଇଥିଲା। ବିଭିନ୍ନ ସମୟରେ ମଶାମରା ଧୂଆଁ ଓ ନାଳରେ ଔଷଧ ସିଞ୍ଚନ ଯୋଗୁଁ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣରେ ରହିଥିଲା।

ଗଞ୍ଜାମ ଜିଲ୍ଲାରେ ୨୦୨୩ରେ ଡେଙ୍ଗୁ ପଜିଟିଭ୍ ୧୭୦ରେ ସୀମିତ ରହିଥିଲା। ସେହିପରି ୨୦୨୨ରେ ୧୬୧ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୦୨୧ରେ ଜିଲ୍ଲାରୁ ମୋଟ ୩୩୩ ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ।  ତେବେ ୨୦୨୪ରେ ମୋଟ ୩ହଜାର ୫୦୭ ନମୁନା ପରୀକ୍ଷା କରାଯାଇଥିବା ବେଳେ ପଜିଟିଭ୍ ସଂଖ୍ୟା ୧୦୪ରେ ସୀମିତ ରହିଛି। ଏହି ସରକାରୀ ରେକର୍ଡ଼କୁ ଅନୁଧ୍ୟାନ କଲେ ସ୍ପଷ୍ଟ ହେଉଛି ଯେ, ଗଞ୍ଜାମ ଜିଲ୍ଲାରେ ଧୀରେ ଧୀରେ ଡେଙ୍ଗୁ ଜ୍ଵର ନିୟନ୍ତ୍ରଣକୁ ଆସୁଛି।

Share This Article