ବନ୍ଧୁକ ମୁନରେ ଲୁଟ ଘଟଣା: ଚାରି ଅଭିଯୁକ୍ତଙ୍କୁ ଗିରଫ କଲା ବାଣପୁର ପୋଲିସ, ବହୁ ମାରଣାସ୍ତ୍ର ଜବତ

Odisha Hot News
2 Min Read

ବାଣପୁର: ଗତ ୧୯ ତାରିଖରେ ଜାତୀୟ ରାଜପଥରୁ କାରକୁ ଅଟକାଇ ବନ୍ଧୁକରୁ ଫାଙ୍କା ଗୁଳି ଚାଳନା କରି ଦୁର୍ବୁର୍ତ୍ତ ମାନେ ୮ଲକ୍ଷ ତିରିଶ ହଜାର ଟଙ୍କା ଲୁଟି ନେଇଥିଲେ। ଲୁଟରେ ସାମିଲ ଥିବା ଚାରିଜଣଙ୍କୁ ବାଣପୁର ପୋଲିସ ଗିରଫ କରିଥିବା ବେଳେ ଆହୁରି ତିନିଜଣ ଅଭିଯୁକ୍ତ ଧରା ପଡ଼ିନାହାନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଖୋର୍ଦ୍ଧା ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁ କହିଛନ୍ତି। ତତସହିତ ଏକ ଲକ୍ଷ ସତର ହାଜର ଟଙ୍କା, ୫ଟି ପିସ୍ତଲ, ୯ ଟି ଗୁଳି ଦୁଇଟି ଭୁଜାଲି, ଗୋଟିଏଛୁରୀ, ଗୋଟିଏ ମୋଟର ସାଇକେଲ, ପିକଅପ ଭ୍ୟାନ ସମେତ ଚାରିଟି ମୋବାଇଲ ଜବତ କରିଛି।

ଉକ୍ତ ଡକାୟତ ଦଳର ମୁଖ୍ୟ ବାଣପୁର ଅଞ୍ଚଳ ବାଂଳେଇ ଗ୍ରାମର ହରେକୃଷ୍ଣ ପ୍ରଧାନ (୪୦) ହୋଇଥିବା ବେଳେ ସେ ବଡ଼ ଗୋବିନ୍ଦପୁର ମୁନା ସୁବୁଦ୍ଧିଙ୍କ ଘରେ ଭଡାରେ ରହୁଥିଲା। ଅନ୍ୟ ଜଣେ ଅଭିଯୁକ୍ତ ତ୍ରିଲୋଚନ ବେହେରା (୩୬) ଗଞ୍ଜାମ ଖଲିକୋଟ ଅଞ୍ଚଳ ତେଲିଡିହ ଗ୍ରାମର ହୋଇଥିବା ବେଳେ ବିଶ୍ୱନାଥ ପରିଡା (୪୦), ଚିତ୍ତରଞ୍ଜନ ପ୍ରଧାନ (୨୮) ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳର ବୋଲି ଜଣାପଡିଛି।

ପ୍ରକାଶ ଥାଉକି ଚଣ୍ଡହରଦେବ ରାଇସ ମିଲର ତିନିଜଣ କର୍ମଚାରୀ ବାଣପୁର ଅଂଚଳରୁ ଟଙ୍କା ସଂଗ୍ରହ କରି ଫେରୁଥୁବା ବେଳେ ଦୁର୍ବୁତ୍ତ ମାନେ ତାଙ୍କ କାର ଆଗରେ ନୟାଗଡ ଅଞ୍ଚଳର ଏକ ମିନି ଟ୍ରକକୁ ରଖି ଫାଙ୍କା ଗୁଲିଚଳନା କରି କର୍ମଚାରୀ ମାନଙ୍କ ଠାରୁ ଦୁଇଟି ମୋବାଇଲ ସହ ଆଠଲକ୍ଷ ତିରିଶ ହଜାର ଟଙ୍କା ଲୁଟି ନେଇଥିଲେ।

ଖୋର୍ଦ୍ଧାର ନୂତନ ଏସପି ସାଗରୀକା ନାଥଙ୍କ ନିର୍ଦେଶ କ୍ରମେ ଡକାୟତ ମାନଙ୍କୁ ଧରିବା ପାଇଁ ଆଇଆଇସି ରମେଶ ଦେବତାଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ଫଳରେ ଡକାୟତ ମାନଙ୍କୁ ଧରିବାରେ ପୋଲିସ ସଫଳତା ପାଇଲା ବୋଲି ଅତିରିକ୍ତ ଏସପି କହିଛନ୍ତି।

ତେବେ ବାଣପୁର ଅଂଚଳରୁ ଲାଗାତର ଚୋରି ହେଉଥିବାରୁ ଖୁବ ଶୀଘ୍ର ସେମାନଙ୍କୁ କାବୁ କରାଯିବ ବୋଲିଶ୍ରୀଯୁକ୍ତ ମୁର୍ମୁ ସାମ୍ବାଦିକଙ୍କୁ କହିବା ସହ ସମସ୍ତ ଚାରିଜଣ ଆସାମୀଙ୍କୁ କୋର୍ଟ ସ୍ଥାନାନ୍ତର କରାଯାଇଛି।

Share This Article