ବାଣପୁର ପୋଲିସର ନିଦ ହଜାଇଲେ ଚୋର: ୨୪ ଘଣ୍ଟା ମଧ୍ୟରେ ଦୁଇଟି ବଡଧରଣର ଚୋରୀ

Odisha Hot News
1 Min Read

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଲଗାତାର ଭାବେ ଚୋରି ଲୁଟ ବଢ଼ିବାରେ ଲାଗିଛି। ଗତକାଲି ବାଣପୁର ବାଇପାସ ନିକଟରୁ ବନ୍ଧୁକ ମୁନରେ ୮ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଲୁଟ ହୋଇଥିବାବେଳେ ପୁଣି ଗତକାଲି ବିଳମ୍ବିତ ରାତ୍ରିରେ ପଲଟନ ପଡିଆ ନିକଟସ୍ଥ ଏକ ଘରେ କଳାକନା ବୁଲାଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ।

ସୂଚନା ମୁତାବକ ସାନହନ୍ତୁଆଡ଼ ଗ୍ରାମର ଗୋଦାବରୀ ପ୍ରଧାନ (୬୦) ନିଜ ପତ୍ନୀଙ୍କ ସହ ଟିକିରାଇ ମନ୍ଦିର ନିକଟରେ ବାସ କରନ୍ତି। ତେବେ ଗତକାଲି ପତ୍ନୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଗୋଦାବରୀ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ନେଇ ଯାଇଥିଲେ। ଘର ତାଲା ପକାଇ ନିକଟସ୍ଥ ପଡୋଶୀଙ୍କୁ ଗୋଦାବରୀ ଚାବି ହସ୍ତାନ୍ତର କରି ଯାଇଥିଲେ।

ଗତକାଲି ରାତିରେ ଭୁବନେଶ୍ୱରରୁ ଫେରିନପାରିବାରୁ ସେ ପଡୋଶୀଙ୍କ ସହ ସମ୍ପର୍କରେ ଥିଲେ ଏବଂ ଶେଷଥର ରାତି ୧୨ ଘଟିକା ପାଖାପାଖି କଥା ହୋଇଥିଲେ ଏବଂ ଘର ତାଲା ପୂର୍ବପରି ପଡିଥିବାର ଜାଣିବାକୁ ପାଇଥିଲେ। କିନ୍ତୁ ରାତି ୪ ଘଟିକା ସମୟରେ ପଡୋଶୀ ଗୋଦାବରୀଙ୍କୁ ଫୋନ ଯୋଗେ ତାଙ୍କ ଘରୁ ଚୋରି ହୋଇଥିବାର ସୂଚନା ଦେଇଥିଲେ।

ଖବର ପାଇ ଆଜି ସକାଳେ ଗୋଦାବରୀ ଘରକୁ ଆସି ଦେଖିବାକୁ ପାଇଥିଲେ ଯେ, ତାଙ୍କ ଘରର ମୁଖ୍ୟ କବାଟ ସହ ଚାରି ଗୋଟି କବାଟ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଦେଢ଼ ଲକ୍ଷ ଟଙ୍କା ନଗଦ ଏବଂ ସୁନା ଅଳଙ୍କାର ଚୋରି କରି ବାରିପଟେ ଫେରାର ହୋଇଯାଇଛନ୍ତି। ଏ ନେଇ ଗୋଦାବରୀ ବାଣପୁର ଥାନାରେ ସୂଚନା ଦେଇଥିବା ଗଣମାଧ୍ୟମକୁ କହିଛନ୍ତି।

ସୂଚନା ଥାଉକି ଦୁଇ ଦିନ ତଳେ ପଲଟନ ପଡିଆ ଠୁ ୧୦୦ ମିଟର ଦୂରରେ ଦୁର୍ବୃତ୍ତମାନେ ଜଣଙ୍କ ଘରୁ ଚୋରି କରି ଫେରାର ହୋଇଯାଇଥିଲେ। ତେବେ ବାରମ୍ବାର ବାଣପୁର ଥାନା ଅଞ୍ଚଳରେ ଏପରି ଚୋରି ଓ ଲୁଟ ଅଞ୍ଚଳବାସୀ ଓ ପୋଲିସର ନିଦ ହଜାଇଦେଇଛି।

Share This Article