ବାଣପୁର: ବନ୍ଧୁକ ମୁନରେ ଲୁଟିନେଲେ ସାଢ଼େ ଆଠ ଲକ୍ଷ

Odisha Hot News
1 Min Read

ବାଣପୁର: ଆଜି ସଂନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ୧୬ ନଂ ଜାତୀୟ ରାଜପଥ ଅଲାଇଡିହ ଛକ ବାଇପାସ ନିକଟରେ ଏକ ବଡ଼ ଧରଣର ଲୁଟ ହୋଇଛି। ଖବର ମୁତାବକ ଆଜି ସନ୍ଧ୍ୟାରେ ଚଣ୍ଡେଶ୍ୱର ସ୍ଥିତ ଶ୍ରୀ ଚଣ୍ଡ ହରଦେଵ ରାଇସ ମିଲର କିଛି କର୍ମଚାରୀ କାର ଯୋଗେ ବାଣପୁର ଅଞ୍ଚଳରୁ ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ ଅଲାଇଡିହ ଛକ ବାଇପାସକୁ ଉଠିବାକୁ ଥିବା ରାସ୍ତାରେ ତିନିଜଣ ଦୁର୍ବୃତ୍ତ ଏକ କଳା ପଲସରରେ ଆସି କାର ଆଗରେ ଏକ ଟାଟା ଏସି ଗାଡି ରଖି ଅଟକାଇ ଥିଲେ। ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚାଳନା କରିବା ସହ କାରର କାଚ ଭାଙ୍ଗି କର୍ମଚାରୀମାନଙ୍କର ମୁଣ୍ଡରେ ବନ୍ଧୁକ ଲଗାଇ ବ୍ୟାଗରେ ଥିବା ଆଠ ଲକ୍ଷ ତିରିଶ ହଜାର ଟଙ୍କା ଏବଂ ଦୁଇ କର୍ମଚାରୀଙ୍କ ମୋବାଇଲ ଫୋନ ନେଇ ଚମ୍ପଟ ମାରିଥିଲେ। ଖବର ପାଇ ବାଣପୁର ଆଇଆଇସି ରମେଶ କୁମାର ଦେବତା ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

ପ୍ରକାଶ ଥାଉକି ଉକ୍ତ ରାଇସ ମିଲ ଦୀର୍ଘବର୍ଷ ଧରି ବେପାର କରୁଥିବା ବେଳେ ବାର ଅନୁଯାୟୀ କର୍ମଚାରୀ ମାନେ ଟଙ୍କା ସଂଗ୍ରହ କରିଥାନ୍ତି। ଦୁର୍ବୃତ୍ତମାନେ ସେମାନଙ୍କୁ ପିଛା କରିଥିବା ଘଟଣାରୁ ସ୍ପଷ୍ଟ ଜଣାପଡୁଛି। ତେବେ ବାଣପୁର ଓ ଏହାର ଆଖପାଖ ଅଞ୍ଚଳରେ ଲଗାତାର ଚୋରି, ଡକାୟତି ଓ ରାହାଜାନି ବଢୁଥିବାବେଳେ ଏହାକୁ ରୋକିବା ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି।

Share This Article