ବାଣପୁର: ଘର ତାଲା ଭାଙ୍ଗି କଳା କନା ବୁଲାଇଲେ ଲୁଟେରା, ଲକ୍ଷାଧିକ ମୂଲ୍ୟର ସୁନା ଅଳଙ୍କାର ଲୁଟ୍

Odisha Hot News
1 Min Read

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ରାଣୀପଡ଼ା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଉକ୍ତ ଗ୍ରାମର ଦିବ୍ୟରଞ୍ଜନ ସାହୁଙ୍କ ପତ୍ନୀ ରଶ୍ମିତା ସାହୁଙ୍କ ଅଭିଯୋଗ ମୁତାବକ ଗତକାଲି ଟାଙ୍ଗୀ ଥାନା କୁହୁଡି ସ୍ଥିତ ଜଣେ ସମ୍ପର୍କୀୟଙ୍କ ଦେହାନ୍ତ ହୋଇଯିବାରୁ ରଶ୍ମିତା ସପରିବାରେ ସଂନ୍ଧ୍ୟାରେ କୁହୁଡି ପଳାଇଥିଲେ। ତେବେ ଘରେ କେବଳ ରଶ୍ମିତାଙ୍କ ଦେଢ଼ଶୁର ସନ୍ତୋଷ ସାହୁ ଉପସ୍ଥିତ ଥିଲେ। ସନ୍ତୋଷ ରାତି ୧୨ ଘଟିକାରେ ଘରେ ତାଲା ପକାଇ ନିକଟସ୍ଥ ପ୍ରତାପ ଗ୍ରାମକୁ ଯାତ୍ରା ଦେଖିବା ପାଇଁ ଯାଇଥିଲେ।

ତେବେ ଯାତ୍ରା ଦେଖି ଭୋର ୪.୩୦ ରେ ଘରେ ପହଞ୍ଚିଲା ବେଳକୁ ଦେଖିବାକୁ ପାଇଥିଲେ କି ଘର କବାଟ ଖୋଲା ଅଛି। ଘର ଭିତରେ ଯାଇ ଦେଖିବାକୁ ପାଇଥିଲେ ଯେ, ଦୁର୍ବୁତ୍ତମାନେ ଦାଣ୍ଡ ତାଲା ସହ ଘରର ୩ ବଖରାର ତାଲା ମଧ୍ୟ ଭାଙ୍ଗି ଦେଇଛନ୍ତି। ଏବଂ ଆଲମିରା ଭାଙ୍ଗି ନଗଦ ୫୫୦୦ ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରି ନେଇଛନ୍ତି।

ତେବେ ଚୋରି ହୋଇଥିବା ଅଳଙ୍କାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ରଶ୍ମିତା କହିଛନ୍ତି। ଅଭିଯୋଗ ପାଇ ବାଣପୁର ପୋଲିସ ତଦନ୍ତ ଆରମ୍ଭ କରିବା ସହ ସାଇଣ୍ଟିଫିକ ଟିମ କୁ ଖବର ଦେଇଥିବାର ଆଇଆଇସି ରମେଶ କୁମାର ଦେବତା କହିଛନ୍ତି।

Share This Article