ଯୁକ୍ତ୨ ବାକି ପରୀକ୍ଷା ହେବ! : ଗଣଶିକ୍ଷା ମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ୱର, ୩୦।୪(ବ୍ୟୁରୋ): କରୋନା କଟକଣା ଯୋଗୁ ଯୁକ୍ତ୨ ପରୀକ୍ଷାକୁ ଅଧାରୁ ବନ୍ଦ କରି ଦିଆଯାଇଥିଲା। ଏବେ ବାକି ଥିବା ପରୀକ୍ଷା କିପରି ହେବ ତାହାକୁ ନେଇ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଚଳାଇଛି। ଲକ୍‌ଡାଉନ ଶେଷ ହେବାପରେ ଏହି ପରୀକ୍ଷା କରାଯିବ। ଏଥିପାଇଁ ବିଭାଗ ପୂରା ପ୍ରସ୍ତୁତ ରହିଛି ଓ ସରକାରଙ୍କ ନିର୍ଦ୍ଦେଶ ଆସିବା ମାତ୍ରେ ତୁରନ୍ତ ପରୀକ୍ଷା ହେବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ସାମାଜିକ ଦୂରତା ନିୟମକୁ ପାଳନ କରି ପରୀକ୍ଷା କରାଯିବ। ତେବେ କେତେକ କଲେଜକୁ କ୍ୱାରାଣ୍ଟାଇନ ସେଣ୍ଟର କରାଯାଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ଚୟନ ଆଉଥରେ କରାଯିବ ବୋଲି ଦାଶ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିଥିଲେ। ଏଥିରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଦାଶ ଯୋଗଦେଇ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ପାଠପଢା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସିବିଏସ୍‌ସି ଛାତ୍ରୀଛାତ୍ରଙ୍କ କ୍ଷେତ୍ରରେ ବାକିଥିବା ଯୁକ୍ତ୨ ପିଲାଙ୍କ ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ହେବାପରେ ରାଜ୍ୟରେ ବାକି ଥିବା ଯୁକ୍ତ୨ ପରୀକ୍ଷା ସଂକ୍ରାନ୍ତରେ ଏହି ସୂଚନା ଦେଇଛନ୍ତି। ଏହାସହ କେନ୍ଦ୍ରମନ୍ତ୍ରୀ ପିଲାଙ୍କ ନିକଟରେ ବହି ପହଞ୍ଚାଇବା, ଅନ୍‌ଲାଇନରେ ପାଠପଢା କଥା ଉପରେ ମଧ୍ୟ ଆଲୋଚନା କରିଥିବାବେଳେ ଓଡ଼ିଶାରେ ଏହା ଜାରି ରହିଥିବା ମନ୍ତ୍ରୀ ଦାଶ ସୂଚନା ଦେଇଥିବା ଜଣାପଡିଛି।

Share This Article
Leave a Comment