ଚଳିତ ରବିରେ ଦିଆଯିବ ୯୦୦୦ କୋଟିର ଋଣ

Odisha Hot News
1 Min Read

ଭୁବନେଶ୍ୱର: ଚଳିତ ୨୦୨୪-୨୫ ବର୍ଷର ରବିଋତୁ ପାଇଁ ୯୦୦୦ କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଯୋଜନା କରାଯାଉଛି। ଏନେଇ ରାଜ୍ୟ ସମବାୟ ସମିତି ସମୂହର ନିବନ୍ଧନ ବିଭାଗକୁ ଚିଠି ଲେଖିଛନ୍ତି। ଚଳିକ ବର୍ଷ ୯୦୦୦ କୋଟି ଟଙ୍କା ଋଣ ପ୍ରଦାନ କରିବାକୁ ଅଟକଳ ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ଅନୁମୋଦନ ଦେବାକୁ ଅନୁରୋଧ କରିଛନ୍ତି ନିବନ୍ଧକ।

ଗତ ଅକ୍ଟୋବର ୧ ତାରିଖରୁ ରାଜ୍ୟରେ ରବି ଋତୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ଗତ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଚାଷୀ ଅଧିକ ପରିମାଣରେ ଋଣ ନେଇଥିବାରୁ ଚଳିତ ବର୍ଷ ଏହାକୁ ୯ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

ଏନେଇ ସବିଶେଷ ବିବରଣୀ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ସମବାୟ ସମିତି ସମୂହର ନିବନ୍ଧକଙ୍କୁ ପଠାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଚଳିତ ରବି ଋତୁରେ ବରଗଡ଼ ଜିଲ୍ଲାକୁ ସର୍ବାଧିକ ୭୩୦ କୋଟି ଟଙ୍କା ଋଣ ଦେବାକୁ ଲକ୍ଷ୍ୟ ରଖାଯାଇଛି।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାକୁ ୭୨୫ କୋଟି, ସୁନ୍ଦରଗଡ଼ ଜିଲ୍ଲାକୁ ୬୫୦ କୋଟି, ଯାଜପୁର ଜିଲ୍ଲାକୁ ୫୫୫ କୋଟି, ବାଲେଶ୍ୱର ଓ ଖୋର୍ଦ୍ଧାକୁ ୪୫୦ କୋଟି ଲେଖାଏଁ ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଋଣ ପ୍ରଦାନ ଯୋଜନାରେ କୃଷକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ନେଇପାରିବେ। ସେହିପରି ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ଚାଷୀଙ୍କୁ ୨ ପ୍ରତିଶତ ସୁଧ ପରିଶୋଧ କରିବାକୁ ପଡ଼ିବ।

Share This Article