ପ୍ରସିଦ୍ଧ ତାରାତାରିଣୀ ମନ୍ଦିରରେ ଚୋରି, ପୋଲିସର ତନାଘନା ଆରମ୍ଭ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଜାତୀୟ ସ୍ତରରେ ପରିଚିତ ଓ ଗଞ୍ଜାମ ଜିଲ୍ଲାର ରୁଷିକୁଲ୍ୟା ନଦୀ କୂଳରେ ଅବସ୍ଥିତ ପ୍ରସିଦ୍ଧ ମାଁ ତାରାତାରିଣୀ ମନ୍ଦିରରେ ଗତକାଲି ନିଶାର୍ଦ୍ଧ ରାତିରେ ମନ୍ଦିର ତାଲା ଭାଙ୍ଗି ବହୁ ମୁଲ୍ୟର ଅଳଙ୍କାର ଚୋରୀ ହୋଇଛି।

ଘଟଣାରୁ ପ୍ରକାଶ ଯେ ରାତ୍ରୀ ପହଡ଼ ପରେ ମନ୍ଦିରର ପୂଜକ ତାଲା ବନ୍ଦ କରି ଘରକୁ ଚାଲିଯାଇଥିଲେ। ଆଜି ଭୋର ମନ୍ଦିର ତାଲା ଖୋଲି ଦେଖିଲା ବେଳକୁ ମନ୍ଦିର ଦାନ ପେଢିର ଗୋଟିଏ ତାଲା ଭାଙ୍ଗିଛି ଓ ମାଁଙ୍କ ପରିଧାନ ମୁକୁଟ, ମୁଖା ଓ ଛତା ଚୋରି ହୋଇଛି। ଏହି ବିଷୟରେ ପୁଜାରୀ ମନ୍ଦିର କମିଟି କର୍ମକର୍ତ୍ତାଙ୍କୁ ଅବଗତ କରାଇବା ପରେ ମନ୍ଦିରର ପ୍ରଶାସନିକ ଅଧିକାରୀ, କିଛି କର୍ମକର୍ତ୍ତା ଓ ଅନ୍ୟ ପୁଜାରୀ ମାନେ ମନ୍ଦିର ରେ ପହଞ୍ଚି ପରିସ୍ଥିତି ଦେଖିଲେ ଓ ପ୍ରଶାସନିକ ଅଧିକାରୀ ଆଇନଜୀବୀ ତିରୁମାଲା ରେଡ଼ି ପୁରୁଷୋତ୍ତମପୁର ଥାନାକୁ ଜଣାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମନ୍ଦିରର ସମସ୍ତ କୋଣ ଅନୁକୋଣରେ ସିସିଟିଭି କ୍ୟାମେରା ସଂଯୋଗ ପାଇଁ ଗତ ମାସର ବୈଠକରେ ନିଷ୍ପତି ହୋଇଛି। କିନ୍ତୁ ଏହି କାର୍ଯ୍ୟକ୍ରମର ବିଳମ୍ବକୁ ନେଇ କିଛି ଜାଣିବା ଲୋକ ଏହି ଭଳି ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡୁଛି।

Share This Article