ଚିଲିକାକୁ ଆସିଲେଣି ବିଦେଶାଗତ ପକ୍ଷୀ, ଶିକାରୀଙ୍କୁ ରୋକିବା ପାଇଁ ଏଥର ବ୍ୟବହାର ହେବ ଡ୍ରୋନ

Odisha Hot News
2 Min Read

ଚିଲିକା( ସୀତାରାମ ଅଗ୍ରୱାଲ): ଚିଲିକାରେ ଉଡ଼ିବ ଡ୍ରୋନ କ୍ୟାମେରା। କାରଣ ହେଲା ପକ୍ଷୀ ଶିକାରକୁ ନିୟନ୍ତ୍ରଣ କରିବା ପାଇଁ ଏହି ହାଇଟେକ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ଚିଲିକାରେ ଶୀତ ଋତୁରେ ପକ୍ଷୀ ଶିକାରକୁ ରୋକିବା ପାଇଁ ଏପରି କଡ଼ା ପଦକ୍ଷେପ ନେଇଛି ବନ୍ୟପ୍ରାଣୀ ବିଭାଗ। ଏ ନେଇ ଚିଲିକା ବନ୍ୟପ୍ରାଣୀ ଡ଼ିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ଚିଲିକାରେ ଅଧିକ ବିଦେଶୀ ପକ୍ଷୀ ଆସିବାର ସମ୍ଭାବନା ଅଛି ଏବଂ ଅକ୍ଟୋବର ୧ ରୁ ଅଦ୍ୟାବଧି ଚିଲିକାରେ 59 ପ୍ରଜାତିର ବିଦେଶୀ ପକ୍ଷୀ ଆସିଥିବା ଡ଼ିଏଫଓ ଶ୍ରୀ ନାୟକ କହିଛନ୍ତି।

ଚଳିତ ବର୍ଷ ଡ୍ରୋନ କ୍ୟାମେରା ସମ୍ପୂର୍ଣ ଚିଲିକାକୁ ଜଗିବ ଏବଂ ପକ୍ଷୀ ଶିକାରୀଙ୍କୁ ଚି଼ହ୍ନଟ କରିବ। ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ଦିଗରେ ଶୂନ୍ୟ ସହନଶୀଳତା ନିତି ଆପଣାଯିବ।ପକ୍ଷୀଙ୍କ ଭଳି ଏହି ଡ୍ରୋନ୍ ବି ଆକାଶରେ ଉଡ଼ିବ। ଆକାଶମାର୍ଗରୁ ଶିକାରୀଙ୍କ ଉପରେ ନଜର ରଖିବ।

ଗତ ବର୍ଷ ଗ୍ରୀଷ୍ମଋତୁରେ ଚିଲିକାର ନଳଘାସରେ ନିଆଁ ଲଗାଉଥିବା ଅପରାଧୀଙ୍କ ଉପରେ ଅଙ୍କୁଶ ଲଗାଇବାରେ ଡ୍ରୋନ୍‌କୁ ଭଲ ସଫଳତା ମିଳିଥିଲା ତେଣୁ ପକ୍ଷୀ ସୁରକ୍ଷାରେ ଡ୍ରୋନ୍ ନିୟୋଜନ ପାଇଁ ନିଷ୍ପତି ହୋଇଛି ବୋଲି କହିଛନ୍ତି ଡିଏଫ୍‌ଓ।

ପ୍ରତିବର୍ଷ ପରି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ମୋଟ ୨୧ଟି କ୍ୟାମ୍ପ୍ କରାଯାଇଛି ଏବଂ ପ୍ରତ୍ୟେକ କ୍ୟାମ୍ପରେ ପାଟ୍ରୋଲିଂ ହେବ ବିଶେଷକରି ପାହାନ୍ତିଆ ସମୟକୁ ବିଭାଗ ଗୁରୁତ୍ଵ ଦେଇଛି କାରଣ ଏହି ସମୟରେ ପକ୍ଷୀ ଶିକାର ମାତ୍ରା ଅଧିକ ହୋଇଥାଏ।

ତତସହିତ ଅନେକ ସମ୍ବେଦନଶିଳ ଅଞ୍ଚଳକୁ ଚି଼ହ୍ନଟ କରାଯାଇଛି। ଯେଉଁଠି ପକ୍ଷୀ ଶିକାର ହେବାର ଆଶଙ୍କା ଅଧିକ ରହିଛି ସେହି ଅଞ୍ଚଳରେ ଫ୍ଲାଗମାର୍ଚ୍ଚ ମଧ୍ୟ କରାଯିବl ପକ୍ଷୀଙ୍କ ଉଡ଼ିବା ସମୟରେ ଡ୍ରୋନ୍ ଯେମିତି କ୍ଷତିକାରକ ସାବ୍ୟସ୍ତ ନ ହୁଏ, ସେଥିପାଇଁ ଚିଲିକା କୂଳେ କୂଳେ ଡ୍ରୋନ୍ ବ୍ୟବହାର କରିବାକୁ ଯୋଜନା କରାଯାଇଛି।

ଅନୁରୂପ ଭାବେ ପର୍ଯ୍ୟଟକଙ୍କୁ ବିଦେଶାଗତ ପକ୍ଷୀ ମାନଙ୍କୁ କିଛି ଖାଦ୍ୟ ନଦେବା ପାଇଁ ଅନୁରୋଧ କରିଛନ୍ତି ଡ଼ିଏଫଓ। ଉକ୍ତ ଖାଦ୍ୟ ଦ୍ୱାରା ବିଦେଶୀ ପକ୍ଷୀ ରୋଗର ଶିକାର ହୋଇପାରନ୍ତି ଏବଂ ଯାହାଦ୍ୱାରା ଅନେକ କ୍ଷତି ଘଟିବ। ତତସହିତ ମୋଟର ବୋଟ ସଂଘକୁ ନିୟମ ମୁତାବକ ନିର୍ଦ୍ଧାରିତ ସଂଖ୍ୟାରେ ଯାତ୍ରୀ ନେବାକୁ ଅନୁରୋଧ କରିଛନ୍ତି ଡ଼ିଏଫଓ ଶ୍ରୀ ନାୟକ।

Share This Article