ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ: ଉପକୃତ ହେବେ ସାଢ଼େ ୩ କୋଟି ଲୋକ

Odisha Hot News
1 Min Read

ଭୁବନେଶ୍ଵର: ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବ। ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବାଧୀନ ନୂଆ ସରକାର ଆମ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ଘୋଷଣା କରିସାରିଛନ୍ତି। କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ଓ ରାଜ୍ୟର ନିଜସ୍ବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ମିଳିତ ଭାବେ ଗୋଟିଏ କାର୍ଡ ଜାରି ହେବ।

ଆକଳନ ଅନୁସାରେ ଉଭୟ ଯୋଜନା ଅଧୀନରେ ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ଏହି କାର୍ଡ ମିଳିବ। ଆୟୁଷ୍ମାନ ଭାରତ ଭଳି ଆମ ରାଜ୍ୟର ୭୦ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି ମଧ୍ୟ ଏହି କାର୍ଡରେ ସ୍ବାସ୍ଥ୍ୟ ବୀମାର ସୁବିଧା ପାଇବେ। ଏବେ ରାସନ୍ କାର୍ଡ ଇ-କେୱାଇସି ଚାଲିଛି। ଏହା ସରିବା ପରେ ରାଜ୍ୟର କେତେ ସଂଖ୍ୟକ ୭୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଏହି ସ୍ବାସ୍ଥ୍ୟ ବୀମା ଯୋଜନାରେ ଉପକୃତ ହେବେ ତାହା ସ୍ପଷ୍ଟ ହେବ। ଏହି କାର୍ଡଧାରି ବ୍ୟକ୍ତି ସାରା ଦେଶରେ ପ୍ରାୟ ୨୭ ହଜାର ଅନୁବନ୍ଧିତ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ସେବା ପାଇପାରିବେ।

Share This Article