ଫେରାର ଥିବା ୨ ଜନ୍ତୁ ଶିକାରୀ ଗିରଫ: ବନ୍ଧୁକ ଗୁଳି, ବାରୁଦ ଜବତ

Odisha Hot News
2 Min Read

ରେଢାଖୋଲ (କନ୍ଦର୍ପ ବେହେରା): ରେଢାଖୋଲ ବନଖଣ୍ଡ ଚାରମାଳ ଜଙ୍ଗଲରୁ ଜନ୍ତୁ ଶିକାର ଅଭିଯୋଗରେ ବନ ବିଭାଗ ଫେରାର୍ ଥିବା ୨ ଶିକାରୀ ସହ ଗୋଟିଏ ବନ୍ଧୁକ , ଗୁଳି , ବାରୁଦ ଜବତ କରିଛି ବନ ବିଭାଗ।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ବନଖଣ୍ଡ ଚାରମାଳ ରେଞ ଅଧିନସ୍ଥ ଜଙ୍ଗଲରୁ ଗତ ଅଗଷ୍ଟ ମାସରେ ହରିଣ ଶିକାର ହୋଇଥିଲା। ଯାହା କି ବନ ବିଭାଗ ଖବର ପାଇ ଚାରମାଳ ଥାନା ବଡହିନ୍ଦୋଳ ଗ୍ରାମର କୃଷ୍ଣ ଭୋଇଙ୍କ ଘରୁ ବନବିଭାଗ ଟିମ୍ ତା୨୩/୮/୨୪ ରେ ଚଢଉ କରି ୨ ଟି ହରିଣ ମୁଣ୍ଡ , ୨ଟି ହରିଣ ଚମଡା, ୮ ଟି ହରିଣ ଖୁରା , ଗୋଟିଏ ଦେଶି ବନ୍ଧୁକ , ଗୁଳି ,ଲାଇଟ୍ ଓ ଛୁରୀ ଜବତ କରିଥିଲା। ଏଥିରେ ସାମିଲ୍ ଥିବା ଶିକାରୀ କୃଷ୍ଣ ଭୋଇ ଫେରାର୍ ଥିବାରୁ ବନବିଭାଗ ଗିରଫ କରିବାରେ ବିଫଳ ହୋଇଥିଲା । ବନବିଭାଗ ସେ ଦିନ ଠାରୁ ଶିକାରୀ କୁ ଧରିବାକୁ ଜାଲ ବିଛାଇ ଥିଲା।

ମଙ୍ଗଳବାର ସକାଳ ୮ ଟା ସମୟରେ ଶିକାରୀ ଦୁଇ ଜଣ ଜନ୍ତୁ ଶିକାର କରିବାକୁ ଯାଉଥିବା ବନବିଭାଗ କୌଣସି ସୁତ୍ରରୁ ଖବର ପାଇ ସୁଆନି ସଂରକ୍ଷିତ ଜଙ୍ଗଲକୁ ଯାଇ ଚଢଉ କରିଥିଲେ। ଜଙ୍ଗଲରୁ ଚାରମାଳ ଥାନା ବଡ ହିନ୍ଦୋଳ ଗ୍ରାମର ଶିକାରୀ କୃଷ୍ଣ ଭୋଇ ଏବଂ ଚାଟୁଣୀ ଗ୍ରାମର ସୁରେଶ ମୁଣ୍ଡା ଙ୍କୁ ଗିରଫ ସହ ଗୋଟିଏ ଦେଶି ବନ୍ଧୁକ, ଗୁଳି ଓ ବାରୁଦ ଜବତ କରିବାରେ ସଫଳ ହୋଇ ଥିଲା।

ବନ ବିଭାଗ ସେମାନଙ୍କୁ ପଚରାଉଚୁରା କରିବା ବେଳେ ହରିଣ ଶିକାର କରିଥିବା ସ୍ୱୀକାର କରିଥିଲେ। ଏସସିଏଫ ମେହେରବାନ୍ ଅଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ରେଞ ଅଧିକାରୀ ଦର୍ଶନିଆ ଭୋଇ, ଫରେଷ୍ଟର ବିଜୟ କୁମାର ବିଶ୍ୱାଳ, ଫରେଷ୍ଟ ଗାର୍ଡ ଅଜିତ୍ କୁମାର ସାହୁ ଏବଂ ବନବିଭଗର ଅନ୍ୟ କର୍ମଚାରୀ ମାନେ ସାମିଲ୍ ହୋଇଥିଲେ। ବନବିଭାଗ ସେମାନଙ୍କ ନାମରେ ମାମଲା ରୁଜୁ କରିବା ସହ ସେମାନଙ୍କୁ କୋର୍ଟଚାଲାଣ କରିଥିବା ଜଣା ପଡିଛି।

Share This Article