ବାଣପୁରର ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ରାଧାକୃଷ୍ଣ ରାମଙ୍କ ପରଲୋକ

Odisha Hot News
2 Min Read

ବାଣପୁର ( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ବିଶିଷ୍ଟ ସମାଜସେବୀ, ବରିଷ୍ଠ ସାମ୍ବାଦିକ, ରାଜନେତା ତଥା ସୂଚନା ଅଧିକାର କର୍ମୀ ରାଧାକୃଷ୍ଣ ରାମଙ୍କ ୮୭ ବର୍ଷ ବୟସରେ ଆଜି ବାସଭବନରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ।

ଶ୍ରୀ ରାଧାକୃଷ୍ଣ ନିଜର ବୃତ୍ତି ହିସାବରେ ପ୍ରଥମେ ଶିକ୍ଷକତାକୁ ଗ୍ରହଣ କରି ବାଣପୁର ଗୋଦାବରୀଶ ବିଦ୍ୟାପୀଠରେ କିଛି ବର୍ଷ ପାଇଁ କାର୍ଯ୍ୟ କରିଥିଲେ। ସେ ‘ହିନ୍ଦୀ ସାହିତ୍ୟ ରତ୍ନ’ ଉପାଧିରେ ମଧ୍ୟ ବିଭୂଷିତ ହୋଇଥିଲେ। ପରବର୍ତ୍ତୀ ସମୟରେ ଶିକ୍ଷକତା ଛାଡି ସମାଜସେବା ଉଦ୍ଦେଶ୍ୟରେ ରାଜନୀତିରେ ଯୋଗ ଦେଇ ବାଣପୁର ଏନଏସି ର ପ୍ରଥମ ନଗରପାଳ ଭାବେ ନିର୍ବାଚିତ ହୋଇଥିଲେ।

ସେ ତାଙ୍କର ରାଜନୈତିକ ଜୀବନରେ ବାଣପୁରର ଉନ୍ନତି ପାଇଁ ଏକାଧିକ କାର୍ଯ୍ୟ ହାତକୁ ନେଇଥିଲେ ଯାହାମଧ୍ୟରୁ ବାଣପୁର ବିଚାର ବିଭାଗୀୟ ଅଦାଲତ, ବାଣପୁର ଉପ ନିବନ୍ଧକ କାର୍ଯ୍ୟାଳୟ ଏବଂ ବାଣପୁର ଉପ ଟ୍ରେଜେରି କାର୍ଯ୍ୟାଳୟ ଇତ୍ୟାଦି ଖୋଲିବାରେ ତାଙ୍କର ମୁଖ୍ୟ ଭୂମିକା ଥିଲା। ପରବର୍ତ୍ତୀ ସମୟରେ ସେ ମଧ୍ୟ ଇଷ୍ଟ କୋଷ୍ଟ ରେଲୱେ ଡିଭିଜନ ବୋର୍ଡର ଜଣେ ସକ୍ରିୟ ସଭ୍ୟ ଭାବେ ମନୋନୀତ ହୋଇଥିଲେ ଏବଂ ତାଙ୍କରି ପ୍ରଚେଷ୍ଟାରେ ବାଲୁଗାଁ ରେଳ ଷ୍ଟେସନ ଠାରେ ଏକାଧିକ ଯାତ୍ରୀବାହି ଟ୍ରେନ ରହଣି ସଫଳ ହୋଇପାରିଛି।

ଅନୁରୂପ ଭାବେ ସେ ଦେଶର ପ୍ରତିଷ୍ଠିତ ଦୈନିକ ଇଂରାଜୀ ଖବରକାଗଜ ‘ ଦ ଇଣ୍ଡିଆନ ଏକ୍ସପ୍ରେସ’ର ଦୀର୍ଘବର୍ଷ ଧରି ବାଣପୁର ଅଞ୍ଚଳର ପ୍ରତିନିଧି ମଧ୍ୟ ଥିଲେ। ସ୍ବର୍ଗତ ଶ୍ରୀ ରାମ ବାଣପୁର ଅଞ୍ଚଳର ଏକାଧିକ ଜନହିତକର ତଥା ସାମାଜିକ କମିଟିର ମୁଖ୍ୟ ଭାବେ ଦାଇତ୍ୱ ନିର୍ବାହ କରିଥିଲେ।

ତାଙ୍କର ମୃତ୍ୟୁରେ ବାଣପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ତାଙ୍କ ବିୟୋଗରେ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କର ପାର୍ଥିବ ଶରୀରକୁ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ସମେତ ବହୁ ରାଜନେତା, ଆଇନଜୀବୀ, ସମାଜସେବୀ ଓ ବ୍ୟବସାୟୀମାନେ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ।

ତାଙ୍କର ଶେଷକୃତ ପୁରୀ ସ୍ୱର୍ଗଦ୍ୱାରରେ ଆଜି ସମ୍ପନ୍ନ ହୋଇଛି। ତାଙ୍କର ପରିବାରବର୍ଗଙ୍କ ଉପସ୍ଥିତିରେ କନିଷ୍ଠ ପୁତ୍ର ଆଇନଜୀବୀ ଶିବ କୁମାର ଅଗ୍ରୱାଲ ମୁଖାଗ୍ନି ଦେଇଥିଲେ।

Share This Article