ଆଜି ଆସିବେ ପ୍ରଧାନମନ୍ତ୍ରୀ, ଶପଥ ଗ୍ରହଣ ପରେ ଏହା ହେଉଛି ତାଙ୍କର ପ୍ରଥମ ଓଡିଶା ଗସ୍ତ, କଣ କହିବେ ??

Odisha Hot News
2 Min Read

ଭୁବନେଶ୍ବର: ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶେଷ ଥର ପାଇଁ ସେ ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବକୁ ଆସିଥିଲେ। ଏହାପରେ ନୂଆ ସରକାର କାମ କରିବା ପରେ ମୋଦିଙ୍କର ଏହା ହେଉଛି ପ୍ରଥମ ଓଡିଶା ଗସ୍ତ। ସେଥିପାଇଁ ବିଜେପି ଶିବିରରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। କାରଣ ସେମାନେ ପୂର୍ବରୁ ସରକାରରେ ନ ଥାଇ ମୋଦିଙ୍କ ଗସ୍ତ କଥା ବୁଝୁଥିଲେ। ଏବେ ସରକାରରେ ରହି ଏ କଥା ବୁଝିବାକୁ ପଡିଛି।

ମୋଦି ଆଜି ପୂର୍ବହ୍ନ ଏଗାରଟାରେ ଭୁବନେଶ୍ବରରେ ପହଞ୍ଚିବେ। ଏହାପରେ ସେ ସିଧା ଜନତା ମଇଦାନ ଯିବେ। ସେଠାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିବେ। ତେବେ ଏ ସବୁ ଭିତରେ ଯାହା ସବୁଠାରୁ ଚର୍ଚ୍ଚିତ କାର୍ଯ୍ୟଟି ହେଉଛି ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ଟଙ୍କା ପ୍ରଦାନ। ଯାହାକୁ ନେଇ ବିଜେପି ଆଜି ଶାସନ କ୍ଷମତାକୁ ଆସିଛି ତାହାର ଶୁଭାରମ୍ଭ କରିବେ।

ତେବେ ପୂର୍ବରୁ ମୋଦି ନିର୍ବାଚନ ପ୍ରଚାରରେ ଘନଘନ ଓଡିଶା ଗସ୍ତରେ ଆସିଛନ୍ତି। ରାଜନୈତିକ ଭାଷଣ ଦେଇ ଯାଇଛନ୍ତି। କେତେବେଳେ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା ତ କେତେବେଳେ ପାଣ୍ଡିଆନଙ୍କୁ ନେଇ କଟାକ୍ଷ କରିବା ଭାଷଣ ସମସ୍ତେ ଶୁଣିଛନ୍ତି। ହେଲେ ତାହାଥିଲା ନିର୍ବାଚନ ପ୍ରଚାର ଆଉ ଦଳିୟ କାର୍ଯ୍ୟକ୍ରମ। ହେଲେ ବର୍ତ୍ତମାନ ମୋଦିଙ୍କ ଓଡିଶା ଗସ୍ତ ସଂପୂର୍ଣ୍ଣ ଭାବେ ସରକାରୀ କାର୍ଯ୍ୟକ୍ରମ। ତାଙ୍କର କୌଣସି ଦଳିୟ କାର୍ଯ୍ୟକ୍ରମ ନାହିଁ।

ତଥାପି ଭାଷଣ ଦେବାରେ ରେକର୍ଡ କରିଥିବା ନରେନ୍ଦ୍ର ମୋଦି ଏଥର ସେ କଣ କହିବେ ଅନେକଙ୍କ ଉତ୍କଣ୍ଠା ପ୍ରକାଶ ପାଇଛି। ଦଳିୟ କାର୍ଯ୍ୟକ୍ରମ ହୋଇ ନ ଥିବାରୁ ତାଙ୍କ ଭାଷଣରେ ନିଶ୍ଚିତ ଭାବେ କୌଣସି ସମାଲୋଚନା ଦେଖିବାକୁ ମିଳିବ ନାହିଁ। ହେଲେ ତାଙ୍କ ଭାଷଣରେ ମୋହନ ସରକାର କେତେ ପାରିବା ପଣିଆ ତାହାର ଏକ ରୂପରେଖ ତ ସେ ନିଶ୍ଚିତ ଦେବେ ଏଥିରେ ସନ୍ଦେହ ନାହିଁ। ତେବେ ପୂର୍ବ ସରକାରର ବିଫଳତାକୁ ସେ ପୁଣି ଥରେ ପରିପ୍ରକାଶ କରିବେ କି ନାହିଁ ସେ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ।

Share This Article