ଓଡିଏମ୍‌ରେ ‘ଗୁରୁସମ୍ବର୍ଦ୍ଧନା’ ଉତ୍ସବ ପାଳିତ

Odisha Hot News
1 Min Read

ଭୁବନେଶ୍ୱର: ଭାରତୀୟ ସଂସ୍କୃତିରେ ଗୁରୁଶିଷ୍ୟ ପରମ୍ପରାକୁ ଉଜ୍ଜିବୀତ କରିବା ପାଇଁ ପଟିଆସ୍ଥିତ ଓ.ଡି.ଏମ୍‌. ପବ୍ଳିକ୍ ସ୍କୁଲ୍ ପରିସରରେ ଗୁରୁବାର ଦିନ ପୂର୍ବତନ ରାଷ୍ଟ୍ରପତି, ଦାର୍ଶନିକ ତଥା ଉଚ୍ଚାଙ୍ଗ ଶିକ୍ଷାଧାରାର ପ୍ରବର୍ତକ ରାଷ୍ଟ୍ରଗୁରୁ ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିନ ତଥା ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଓଡିଏମ୍ ଶିକ୍ଷା ସମୂହର ପ୍ରତିଷ୍ଠାତା ଡ. ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଫେସର (ଡ.) ପି.କେ.ଦାସ ଏବଂ ଡ. ଜ୍ୟୋତ୍ସ୍ନା ମହାପାତ୍ର ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ପ୍ରତିଷ୍ଠାତା ଡ. ମୀନକେତନ, ବିଦ୍ୟାଳୟର ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ, ସିଓଓ ସ୍ୱୟନ୍ ସତ୍ୟେନ୍ଦୁ ଏବଂ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଡଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ଗୁରୁପୂଜା ଓ ଗୁରୁବନ୍ଦନା କରିଥିଲେ। ପ୍ରାଚୀନ ଗୁରୁକୁଳ ରୀତିରେ ଛାତ୍ରଛାତ୍ରୀମାନଙ୍କଦ୍ୱାରା ମୂଲ୍ୟବୋଧଭିତିକ ସଙ୍ଗୀତ, ବକ୍ତୃତା, କବିତା ପଠନ, ଅଭିନୟ ଇତ୍ୟାଦି ପ୍ରଦର୍ଶିତ କରାଯାଇଥିଲା।

ଏହି ଅବସରରେ ଡଃ. ମୀନକେତନ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସଙ୍ଗେ-ସଙ୍ଗେ ଶିକ୍ଷକମାନଙ୍କ ଗୁରୁଦାୟିତ୍ୱ ଏବଂ କର୍ତବ୍ୟବୋଧକୁ ପ୍ରଶଂସା କରିଥିଲେ। ଗୁରୁଶିଷ୍ୟ ପରମ୍ପରାରେ ଆଜିର ଏହି ଦିବସର ମହତ୍ୱ ରହିଛି ଏବଂ ସବୁଦିନ ପାଇଁ ସମାଜକୁ ଦିଗ୍‌ଦର୍ଶନ ପ୍ରଦାନ କରୁଥିବ ବୋଲି ସେ ଉଦ୍‌ବୋଧନ ଦେଇଥିଲେ । ଏହି ଉପଲକ୍ଷେ ‘ଗୁରୁଣାଂ ଗୁରୁ’ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ଡ. ମୀନକେତନ ସମସ୍ତ ଗୁରୁମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସାଧୁବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷା-ନିର୍ଦ୍ଦେଶକ ଡ. ଆର୍ତତ୍ରାଣ ମିଶ୍ର, ଉପାଧ୍ୟକ୍ଷା ଡ. ସନ୍ଧ୍ୟାରାଣୀ ସ୍ୱାଇଁ , ଉପାଧ୍ୟକ୍ଷ ଡ. ରାଜେଶ୍ କୁମାର ପାଢୀ, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Share This Article