କଲରାପତରିଆ ବାଘ ଶିକାର ଘଟଣା: ୪ ଅଭିଯୁକ୍ତ କୋର୍ଟ ଚାଲାଣ, ୫ ଶିକାରୀ ଫେରାର

Odisha Hot News
2 Min Read

ରେଢ଼ାଖୋଲ (କନ୍ଦର୍ପ ବେହେରା): ଗତ ୨୬ ତାରିଖରେ ରେଢ଼ାଖୋଲ ବନଖଣ୍ଡ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳ ହୀରାଲୋଇ ଗ୍ରାମରେ ବାଘ ଶିକାର ଅଭିଯୋଗରେ ବନ ବିଭାଗ ୪ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ବେଳେ ୫ ଜଣ ଶିକାରୀ ଫେରାର ଥିବା ବନ ବିଭାଗ ପ୍ରକାଶ କରିଛନ୍ତି। ଗିରଫ ଶିକାରୀ ମାନେ ହେଲେ କିସିଣ୍ଡା ଥାନା ହୀରାଲୋଇ ଗ୍ରାମର ଜୟ ମହାନନ୍ଦ (୬୦) କନକଦର ଗ୍ରାମର ପ୍ରଫୁଲ୍ଲ ବାର୍ଲା (୪୦), ହୀରାଲୋଇ ଗ୍ରାମର କୁଆଁର ଟପୋ, (୬୦)କନକଦର ଗ୍ରାମର ଦୀନବନ୍ଧୁ ଅତ୍ତି (୬୨)।

ଆଜି ସେମାନଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ
ହାଜତକୁ ପଠାଇ ଦିଆଯାଇଛି। ଫେରାର ଥିବା ବାଣୁଆ ମାନେ ହେଲେ ହୀରାଲୋଇ ଗ୍ରାମର ପବିତ୍ର ମହାନନ୍ଦ, ଅରୁଣ ଜାଲ, ନଟୁ ସାହୁ,ସାହାରା ଟେଟେ, କଙ୍କଡର ଗ୍ରାମର ପାତ୍ରଶ ବାଗେ।

ସୂଚନା ଥାଉକି, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳ ହୀରାଲୋଇ ଗ୍ରାମରେ ବାଘ ଶିକାର ହୋଇଥିବା ସମ୍ପର୍କରେ ସୂଚନା ପାଇଥିଲା ବନବିଭାଗ।  ଖବର ପାଇ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଏବଂ ଫରେଷ୍ଟର ପ୍ରବୀଣ କୁମାର ସାହୁ ପ୍ରମୁଖ ସଦଳବଳେ ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟାରେ ହୀରାଲୋଇ ଗ୍ରାମର ସମ୍ପୃକ୍ତ ଶିକାରୀମାନଙ୍କ ଘରେ ଚଢାଉ କରିଥିଲେ।

ଚଢାଉ ବେଳେ ସେମାନଙ୍କ ଠାରୁ ଏକ କଲରାପତରିଆ ବାଘ ଚମଡା ସହ ଗୋଟିଏ ଦେଶୀ ବନ୍ଧୁକ, ୪ଟି ଗୁଳି, ସମ୍ବର ଶିଙ୍ଘ ଓ କଡେଇରେ ରନ୍ଧା ହେଉଥିବା ବାଘ ମାଂସ ପାଇଥିଲେ।

ବାଘ ମାଂସକୁ ରାତିରେ ମଦ ସହିତ ଚାଖଣା କରିବାର ଯୋଜନା ରଖିଥିଲେ। ହେଲେ ବାଣୁଆ ମାନେ ବନବିଭାଗକୁ ଦେଖି ବାଘ ମାଂସକୁ ଖାଇପାରିନ ଥିଲେ। ଏହି ଘଟଣାରେ ବନବିଭାଗ ୪ଦିନ ଭିତରେ ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗତ ୨୫ତାରିଖ ଠାରୁ ରେଢ଼ାଖୋଲ ଡ଼ିଏଫଓ ଅରବିନ୍ଦ ମହାନ୍ତି ଙ୍କ ସମେତ ଏସିଏଫ ରେଢ଼ାଖୋଲ, ଏସିଏଫ ନାକଟିଦେଉଳ, ରେଞ୍ଜର, ଫରେଷ୍ଟର ଆଦି ଟିମ ଗଠନ କରି ତଦନ୍ତକୁ ଜୋରଦାର କରିଛନ୍ତି।

Share This Article