ସେତେବେଳେ ଅଶ୍ବିନୀ ବୈଷ୍ଣବଙ୍କୁ ଯାଚିକି ଦେଇଥିଲ, ଏବେ ସେମାନେ ମମତା ମହାନ୍ତଙ୍କୁ ଭିଡିକି ନେଲେ…

Odisha Hot News
3 Min Read

ଭୁବନେଶ୍ବର: ବିଜେପିରୁ ମମତା ମହାନ୍ତ ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ। ହେବାର ଥିଲା। କାରଣ ସେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ, ଆଉ ତାଙ୍କର ସଂଖ୍ୟା ମଧ୍ୟ ଥିଲା। ସେ ବିଜେଡିରୁ ଇସ୍ତଫା ଦେଲେ ବିଜେପିରେ ମିଶିଲେ ଆଉ ସେ ତାଙ୍କର ସେହି ରାଜ୍ୟସଭା ପଦକୁ ବଜାଇ ରଖିଲେ। କେବେଳ ପରିବର୍ତ୍ତନ ହେଲା ଦଳ। ମମତାଙ୍କ ଏପରି ୟୁଟର୍ଣ୍ଣକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇ ଉଠିଛି।

ତେବେ ମମତା ଯେ ହଠାତ ବିଜେଡି ଆଉ ରାଜ୍ୟସଭାରୁ ଇସ୍ତଫା ଦେଇ ବିଜେପିରେ ମିଶିଲେ ତାହା କେବେ ହୋଇ ନ ଥିବ। ଏହା କେବେ ବି ଦିନେ ଦୁଇ ଦିନର କଥା ହୋଇ ନ ଥିବ। ନିଶ୍ଚିତ ଭାବେ କେନ୍ଦ୍ରୀୟ ବିଜେପି ନେତାମାନେ ମମତାଙ୍କ ସହିତ ପୂର୍ବରୁ କଥା ହୋଇ ତାଙ୍କୁ ବୁଝାଇ ସୁଝାଇ ଏହିପରି ଏକ ବଡ ପଦକ୍ଷେପ ନେବା ପାଇଁ ରାଜି କରାଇଥିବେ।ତେଣୁ ଏଥିରେ ନିଃସନ୍ଦେହରେ କୁହାଯିବ ଯେ, ବିଜେପି ଗୋଟିଏ ରାଜ୍ୟସଭା ଆସନ ବିଜେଡି ହାତରୁ କଳେବଳେ କୌଶଳେ ଭିଡିକି ବା ଛଡେଇକି ନେଇଗଲା।

ବର୍ତ୍ତମାନ ମମତା ମହାନ୍ତ ଜିତିବା ପରେ ଅଶ୍ବିନୀ ବୈଷ୍ଣବଙ୍କ କଥା ନିଶ୍ଚିତ ଚିନ୍ତା କରିବାର ଆବଶ୍ୟକ ରହିଛି। କାରଣ ସେହି ଅଶ୍ବିନୀ ବୈଷ୍ଣବ ଯିଏ କି ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜେଡି ଦୁଇଥର ତାଙ୍କୁ ଅଯାଚିତ ସମର୍ଥନ ପ୍ରଦାନ କରିଛି।

2019 ମସିହାରେ ପ୍ରଥମେ ବିଜେପି ପ୍ରାର୍ଥୀ ଅଶ୍ବିନୀଙ୍କୁ ବିଜେଡି ସମର୍ଥନ କରି  ରାଜ୍ୟସଭାକୁ ପଠାଇଥିଲା। ସେତେବେଳେ ସାରା ରାଜ୍ୟରେ ଏହାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ସେତିକି ନୁହେଁ, ବିଜେଡିର ଏପରି କାର୍ଯ୍ୟକୁ ନେଇ ସମସ୍ତେ ସନ୍ଦେହ ଚକ୍ଷୁରେ ମଧ୍ୟ ଦେଖିଲେ। ହେଲେ ବିଜେଡି କହିଲା ରାଜ୍ୟର ବୃହତର ସ୍ବାର୍ଥ ପାଇଁ ତାଙ୍କୁ ସମର୍ଥନ କରାଗଲା। କିନ୍ତୁ ପ୍ରକୃତ କଥା ଥିଲା କେନ୍ଦ୍ରୀୟ ଚାପରେ ବିଜେଡି ବଙ୍କା ହୋଇ ଅଶ୍ବିନୀଙ୍କୁ ସମର୍ଥନ କରିବାକୁ ବାଧ୍ୟ ହୋଇଥିଲା।

ଏହାପରେ ପୁଣି 2024 ରେ ସେହି ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରି ରାଜ୍ୟସଭାକୁ ପଠାଇଲା। ଏହା ଥିଲା ରାଜ୍ୟ ରାଜନୀତିରେ ଏକ ବଡ ଆଶ୍ଚର୍ଯ୍ୟ ଘଟଣା। କାରଣ ଓଡିଶାର ବିଧାନସଭା ନିର୍ବାଚନକୁ ଆଉ ମାସେ ଦୁଇ ମାସ ବାକି ଥିବା ବେଳେ ଜଣେ ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରି ରାଜ୍ୟସଭାକୁ ପଠାଇବା କେହି ବିଶ୍ବାସ କରିପାରୁ ନ ଥିଲେ। ନିର୍ବାଚନ ସମୟରେ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବା ଦଳ ଉପରେ ଏକ କୁପ୍ରଭାବ ପଡିଲା।

ବିଜେଡି ଭଲ ଭାବରେ ବିଜେପିର ରାଜନୈତିକ ରଣନୀତି ସଂପର୍କରେ ଜାଣିଥିଲେ ମଧ୍ୟ କାହିଁକି ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ କରାଗଲା ତାହାର ରହସ୍ୟ ଏ ପର୍ଯ୍ୟନ୍ତ କେହି ବୁଝିପାରୁ ନାହାଁନ୍ତି। ଶକ୍ତିଶାଳି ଶାସକ ବିଜେଡି ନିଜ କଟ୍ଟର ବିରୋଧୀ ବିଜେପି ଦଳ ପାଖରେ କାହିଁକି ଏପରି ଦୁର୍ବଳତା ପ୍ରକାଶ କଲା ତାହା ଓଡିଶା ରାଜନୈତିକ ଇତିହାସରେ ଏକ ଆଶ୍ଚର୍ଯ୍ୟ ଘଟଣା ହୋଇ ରହିଗଲା।

ପୂର୍ବର ବହୁ ଭୁଲ ନିଷ୍ପତି ପାଇଁ ବିଜେଡିକୁ ବର୍ତ୍ତମାନ ଭୋଗିବାକୁ ପଡୁଛି। ଏକଦା ବିଜେଡି ଲୋକସଭା, ରାଜ୍ୟସଭା ଓ ବିଧାନସଭାରେ ନିଜର ପତିୟାରା ଜାହିର କରି ରହିଥିଲା। ବର୍ତ୍ତମାନ ପରିସ୍ଥିତି ଏପରି ହେଲା ଯେ, ତାଙ୍କର ସେ ସବୁ ପତିୟାରା ଛିଣ୍ଡି ଖିନଭିନ ହୋଇଗଲା। ବର୍ତ୍ତମାନ ରାଜ୍ୟସଭାରେ ଯାହା କିଛି ବିଜେଡିର ପତିୟାରା ରହିଛି ତାହାକୁ ମଧ୍ୟ ବିଜେପିର ଶୀର୍ଷ ନେତୃତ୍ୟ ଲୋଲୁପ ଦୃଷ୍ଟିରେ ଅନେଇ ରହିଛନ୍ତି। କେତେବେଳେ କଣ ହେବ କିଛି କହି ହେବ ନାହିଁ।

Share This Article