ମା’ ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ

Odisha Hot News
2 Min Read

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ମଧ୍ୟାହ୍ନରେ ଓଡ଼ିଶା ପୂର୍ତ୍ତ ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ଵୀରାଜ ହରିଚନ୍ଦନ ବାଣପୁରସ୍ଥିତ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ପରିଦର୍ଶନରେ ଆସି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପ୍ରଥମେ ମା’ ଭଗବତୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ଏବଂ ମନ୍ଦିର ବେଢା ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟର ବ୍ଲୁ ପ୍ରିଣ୍ଟ ଦେଖିଥିଲେ। ପୂର୍ବ ସରକାର ଦ୍ୱାରା ଅନୁମୋଦିତ ହୋଇଥିବା ଉନ୍ନୟନ ପ୍ରକଳ୍ପକୁ ପ୍ରଶାସନିକ ଅନୁମତି ମିଳିନଥିବାରୁ କାର୍ଯ୍ୟ ବନ୍ଦ ଥିବା ବେଳେ ଆଜି ମନ୍ତ୍ରୀ ତାହାକୁ ତୁରନ୍ତ ଅନୁମୋଦନ କରାଇଥିଲେ।

ଏହି ଅବସରରେ ଏଣ୍ଡାଓମେଣ୍ଟ ସଭାପତି ତଥା ବାଣପୁର ତହସିଲଦାର ଏବଂ ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରୁ ଉନ୍ନୟନ ପ୍ରକଳ୍ପ ବିଷୟରେ ମନ୍ତ୍ରୀ ପଚାରି ବୁଝିଥିଲେ। ଏହି ଅବସରରେ ମନ୍ଦିର ସେବାୟତ ଏବଂ ସ୍ଥାନୀୟ ଜନସାଧାରଣ ମାନେ ମନ୍ଦିର ଉନ୍ନତିକୁ ନେଇ ବିଭିନ୍ନ ପ୍ରସ୍ତାବ ମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଏହାପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମନ୍ଦିର ଚତୁଃପାର୍ଶ୍ୱ ପରିଦର୍ଶନ କରିବା ସହ ପ୍ରସ୍ତାବିତ ବସ ପାର୍କିଙ୍ଗ, ଯାତ୍ରୀ ବିଶ୍ରାମ କେନ୍ଦ୍ର, ନୂତନ ରିଙ୍ଗ ରୋଡ ସ୍ଥାନ ଆଦି ବୁଲି ଦେଖିଥିଲେ। ଉନ୍ନୟନ କାର୍ଯ୍ୟ ପାଇଁ ବେସରକାରୀ ଜମି ଅଧିଗ୍ରହଣ ଏକ ମୁଖ୍ୟ ସମସ୍ୟା ଥିବା ବେଳେ ତାହାକୁ ଉପଯୁକ୍ତ ପ୍ରାପ୍ୟ ପ୍ରଦାନ କରାଯାଇ କିପରି ଉନ୍ନୟନ କାର୍ଯ୍ୟରେ ସାମିଲ କରାଯାଇପାରିବ ତାହାକୁ ଗୁରୁତ୍ୱ ଦେଇଥିଲେ ମନ୍ତ୍ରୀ।

ତତସହିତ ଭଗବତୀ ମନ୍ଦିର ନିକଟରେ ଥିବା କେନାଲ ରାସ୍ତାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ଯାହାଦ୍ୱାରା ଉନ୍ନୟନ କାର୍ଯ୍ୟ କ୍ଷିପ୍ର ଗତିରେ ହୋଇପାରିବ। ତେବେ ଯଥାଶୀଘ୍ର ଉନ୍ନୟନ ତଥା ସୌଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ କରିବାକୁ ଓବିସିସି କୁ ନିର୍ଦେଶ ଦେଇଥିଲେ ମନ୍ତ୍ରୀ।

ତେବେ ଉନ୍ନୟନ କାର୍ଯ୍ୟ ନିମନ୍ତେ ସାଧାରଣ ଜନତା ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାହାକୁ ଗୁରୁତ୍ୱ ଦେବାକୁ ସ୍ଥାନୀୟ ପ୍ରଶାସନ ଏବଂ ଓବିସିସି କୁ ନିର୍ଦେଶ ଦେଇଥିଲେ ମନ୍ତ୍ରୀ।  ଏହାପରେ ମନ୍ତ୍ରି ବାଣପୁର ପ୍ରଜାପିତା ବ୍ରହ୍ମକୁମାରୀ ସେଣ୍ଟର ଯାଇ ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Share This Article