ସୁଭଦ୍ରା ଯୋଜନାକୁ ସମାଲୋଚନା କଲେ ନବୀନ, କହିଲେ ମା’ମାନଙ୍କୁ ଏହା କ’ଣ ବିଜେପି ଗ୍ୟାରେଣ୍ଟି?

Odisha Hot News
2 Min Read

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଘୋଷଣା କରିଥିବା ସୁଭଦ୍ରା ଯୋଜନାକୁ ନେଇ ବିଭିନ୍ନ ମହଲରେ ବେଶ ସମାଲୋଚନା କରାଯାଇଛି। କାରଣ ବିଜେପି ନିର୍ବାଚନ ବେଳେ ଯେଉଁ ପ୍ରତିଶୃତି ଦେଇଥିଲା ତାହା ବର୍ତ୍ତମାନ ପୂର୍ଣ୍ଣ ରୂପରେଖ ନେଇ ପାରୁନାହିଁ। ଏହାକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ,

“ବିଜେପି ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କା ଦେବ ବୋଲି ‘ଗ୍ୟାରେଣ୍ଟି’ ଦେଇଥିଲା। ନିର୍ବାଚନ ସମୟରେ କହିଥିଲେ ୫୦,୦୦୦ ଟଙ୍କା, ଦେଉଛନ୍ତି ମାତ୍ର ୫,୦୦୦ ଟଙ୍କା। କହିଲେ ସବୁ ମହିଳା, ହେଲେ ପାଇବେ ଜମା ୩ଜଣରୁ ଜଣେ। ମା’ମାନଙ୍କୁ ଏହା କ’ଣ ବିଜେପିର ଗ୍ୟାରେଣ୍ଟି?

ଆମର ୪.୫ କୋଟି ଜନସଂଖ୍ୟାର ପ୍ରାୟ ୨.୨୫ କୋଟି ମହିଳା ଏଥିରେ ସାମିଲ ହେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏବେ ବିଜେପି ସରକାରଙ୍କ କହିବା ମୁତାବକ କେବଳ ମାତ୍ର ୭୦ ଲକ୍ଷ ମହିଳା ଏଥିରେ ସାମିଲ ହୋଇପାରିବେ।

ତାହେଲେ ବିଜେପି ସରକାରଙ୍କ ‘ପ୍ରତ୍ୟେକ’ ମହିଳାଙ୍କୁ ଏ ଯୋଜନାରେ ସାମିଲ କରିବା ଅର୍ଥ କ’ଣ ଏଇୟା? ମା’ମାନଙ୍କୁ ଏହା କ’ଣ ବିଜେପିର ଗ୍ୟାରେଣ୍ଟି? ନା ଏହା ଏକ ଧୂଆଁବାଣ?

ମା’ମାନେ ଅନେକ ଆଶା ରଖିଥିଲେ। ଟଙ୍କା ମିଳିଲେ କିଛି ଭଲ କାମରେ ଲଗାଇବେ ବା ବ୍ୟବସାୟ କରିବେ। ହେଲେ ଏବେ କହୁଛନ୍ତି ମା’ମାନଙ୍କୁ ୬ମାସରେ ମାତ୍ର ୫,୦୦୦ ଟଙ୍କାର ସହାୟତା; ଯାହା ମାସକୁ ମାତ୍ର ୮୦୦ ଟଙ୍କା ପଡ଼ୁଛି।ଏହା କେଉଁ କାମରେ ଲାଗିବ? ଏକ ସାଙ୍ଗରେ ୫୦,୦୦୦ ଟଙ୍କାର ପ୍ରୋତ୍ସାହନ ମିଳିଥିଲେ ମା’ମାନେ ଏହାକୁ କୌଣସି କାମରେ ଲଗାଇ ପାରିଥାନ୍ତେ। କିଛି ବ୍ୟବସାୟ କରି ସଶକ୍ତ ହୋଇ ସମାଜରେ ଆଗକୁ ବଢ଼ିଥାନ୍ତେ।

ସୁଭଦ୍ରା ବା କିଛି ଗ୍ୟାରେଣ୍ଟି ଯୋଜନାକୁ କାର‌୍ୟ୍ୟକ୍ଷମ କରିବାକୁ ବିଜେପି ସରକାର ଚଳିତ ବଜେଟରେ ୫୦,୦୦୦ କୋଟି ଟଙ୍କାର ଋଣ କରିଛନ୍ତି। ଏହା ଆମ ସମସ୍ତଙ୍କ ମୁଣ୍ଡରେ ଋଣ ବୋଝ। ଆମ ମା’ ଓ ଭଉଣୀମାନଙ୍କୁ ଏହାକୁ ସୁଧ ସହ ସୁଝିବାକୁ ପଡ଼ିବ। କାରଣ ଏହା ସରକାରୀ ଅର୍ଥ ନୁହେଁ, ଋଣ ହୋଇ ଆସିଥିବା ଟଙ୍କା। ଏଥିରେ କ’ଣ ନାରୀ ସଶକ୍ତିକରଣ ସମ୍ଭବ ହେବ? ଆମେ ଖାଲି ଯାହା ଋଣ କରି ପରବ ପାଳିବା ସାର ହେବ।”

Share This Article