ବାଣପୁର: ଘରେ ପଶି ଲକ୍ଷାଧିକ ମୂଲ୍ୟର ସୁନା ଅଳଙ୍କାର ଚୋରି

Odisha Hot News
1 Min Read

ବାଣପୁର (ସୀତାରାମ ଅଗ୍ରୱାଲ): ଘରେ ପଶି ସୁନା ଅଳଙ୍କାର ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଖଣତ ଗ୍ରାମର ପ୍ରଭାତ ମହାରଣା ସନ୍ଧ୍ୟା ୭ ଘଟିକାରେ ଘରୁ ବଜାରକୁ ଯାଇଥିବା ସମୟରେ ସ୍ତ୍ରୀ ଶୁଭଶ୍ରୀ ମହାରଣା ରୋଷେଇ ଘରେ ରୋଷେଇ କରୁଥିଲେ। ଶୁଭଶ୍ରୀଙ୍କ ଶାଶୁ ପାଇଖାନା ଚାଲି ଯାଇଥିଲେ।

ଏହି ସମୟରେ ଖଡ଼ ଖଡ଼ ଶବ୍ଦ ଶୁଣି ଶୋଇବା ଘରକୁ ଯିବାବେଳେ ଦୁଇଜଣ କଳା ମୁଖା ପିନ୍ଧା ଦୁର୍ବୁତ୍ତଙ୍କୁ ଦେଖିଥିଲେ। ଶୁଭଶ୍ରୀଙ୍କୁ ଦେଖି ଦୁର୍ବୁତ୍ତ ମାନେ ବାରିପଟ ଦେଇ ଦୌଡ଼ି ଚାଲି ଯାଇଥିଲେ। ଦୁର୍ବୁତ୍ତ ମାନେ ଘରୁ ଚାଲିଯିବା ପରେ ସେ ଦେଖିବାକୁ ପାଇଲେ ଯେ ତାଙ୍କ ଆଲମିରା ଭାଙ୍ଗି ୧୦ଟି ସୁନା ମୁଦି, ଗୋଟିଏ ସୁନାହାର, ଦୁଇହଳ ସୁନା ଚୁଡ଼ି ଏବଂ ଚାରିହଳ କାନଫୁଲ ଚୋରି ହୋଇଛି। ଯାହାକି ଶୁଭଶ୍ରୀଙ୍କ ନଣନ୍ଦଙ୍କ ଘରୁ ବିଗତ ଦିନରେ ଚୋରି ହୋଇଥିବାରୁ ସେ ପ୍ରଭାତଙ୍କ ଘରେ ସୁରକ୍ଷିତ ରଖିବାକୁ ଦେଇଥିଲେ। ଯାହାର ଆନୁମାନିକ ମୂଲ୍ୟ ଦୁଇଲକ୍ଷରୁ ଅଧିକ ହେବ ବୋଲି ପୋଲିସ କହିଛି। ତେବେ ସ୍ୱାମୀ ଘରକୁ ଆସିବା ପରେ ଶୁଭଶ୍ରୀ ଥାନାର ଦ୍ଵାରସ୍ଥ ହୋଇଥିଲେ।

ଆଜି ବାଣପୁର ପୋଲିସ ଏକ ଚୋରି ମୋକଦ୍ଦମା ରୁଜୁକରି ତଦନ୍ତ କରିବା ସମୟରେ ଚୋରି ସ୍ଥାନରୁ ଆଉ କିଛି ସୁନା ଅଳଙ୍କାର ରହିଯାଇଥିବା ନଜରକୁ ଆସିଥିଲା। ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଆସନ୍ତାକାଲି ସାଇଣ୍ଟିଫିକ ଟିମ ଆସି ତଦନ୍ତ କଲେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ତଦନ୍ତକାରି ଅଧିକାରୀ ପ୍ରଦୀପ୍ତ କୁମାର ସ୍ୱାଇଁ କହିଛନ୍ତି।

Share This Article