ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ମୟୂରଭଂଜ ଜିଲ୍ଲାର ଅମର୍ଦା ରୋଡ୍ ବିମାନଘାଟି

Odisha Hot News
1 Min Read

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାସ୍ଥିତ ଅମର୍ଦା ରୋଡ୍‌ (ରାସଗୋବିନ୍ଦପୁର) ବିମାନବନ୍ଦରକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନିମନ୍ତେ ପଦକ୍ଷେପ ନିଆଯିବ। ଆଜି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଏହି ପ୍ରସଙ୍ଗ ନେଇ ଗୃହନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି।

ଅମର୍ଦା ରୋଡ୍‌ ବିମାନବନ୍ଦରରେ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିବା ସହିତ ଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଉଭୟ ମନ୍ତ୍ରୀ ସହମତ ହୋଇଥିଲେ। ଏଥି ସହିତ ଝାରସୁଗୁଡ଼ା ବିମାନବନ୍ଦରର ସର୍ବାଙ୍ଗୀନ ବିକାଶ ନିମନ୍ତେ ମଧ୍ୟ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ ଝାରସୁଗୁଡ଼ା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ।

ଏଠାରେ ପ୍ରକାଶଯୋଗ୍ୟ ଯେ ମୟୂରଭଞ୍ଜର ଅମର୍ଦା ରୋଡ଼୍‌ ବିମାନବନ୍ଦର ୪୦ ଦଶକରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ କାର୍ଯ୍ୟ କରୁଥିଲା। ପୂର୍ବରୁ ଏହାର ୧୧ ହଜାର ଫୁଟର କଂକ୍ରିଟ୍‌ ରନ୍‌ୱେ ରହିଥିଲା। କେନ୍ଦ୍ର ସରକାରଙ୍କ ଉଡ଼ାଣ ଯୋଜନାରେ ଅଧିକ ଜମି ଅଧିଗ୍ରହଣ ସାଙ୍ଗକୁ ଉନ୍ନତିକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଛି। କାର୍ଯ୍ୟକ୍ଷମ ହେଲେ ଏହା ଏକ ଉଲ୍ଲେଖଯୋଗ୍ୟ ବିମାନ ବନ୍ଦର ଭାବରେ ରାଜ୍ୟର ଆର୍ଥିକ ପ୍ରଗତିରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି।

Share This Article