ମେଲାନିଷ୍ଟିକ୍ ବାଘ ସଫାରି: ବୈଷୟିକ ଅନୁମୋଦନକୁ ରାଜ୍ୟ ସରକାରଙ୍କ ଅପେକ୍ଷା

Odisha Hot News
2 Min Read

ମେଲାନିଷ୍ଟିକ୍ ବାଘ ସଫାରି: ରାଜ୍ୟରେ ବାଘ ସଫାରି ପ୍ରତିଷ୍ଠା ଦିଗରେ ଆଗକୁ ବଢ଼ିବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‍ଟିସିଏ) ଓ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ବୈଷୟିକ କମିଟିର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର)ର ଚୂଡ଼ାନ୍ତ ଅନୁମୋଦନକୁ ରାଜ୍ୟ ସରକାର ଅପେକ୍ଷା କରିଛନ୍ତି।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ନିକଟ ବାରିପଦାରେ ପ୍ରଥମ ଥର ପାଇଁ ବାଘ ସଫାରି ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି। ଏହି ପ୍ରକଳ୍ପକୁ ନୀତିଗତ ଅନୁମୋଦନ ମିଳିବା ପରେ ଉଭୟ ଏନ୍‍ଟିସିଏ ଓ ସିଜେଡ୍ଏ ସଦସ୍ୟଙ୍କୁ ନେଇ ଗଠିତ ବୈଷୟିକ କମିଟି ଜୁନ୍ ମାସରେ ବାରିପଦା ନିକଟରେ ଚିହ୍ନଟ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ ବୋଲି ବନ ବିଭାଗ ବନ୍ୟପ୍ରାଣୀ ଶାଖା ସୂତ୍ରରୁ ପ୍ରକାଶ।

ସେମାନଙ୍କ ଗସ୍ତ ସମୟରେ ପ୍ରସ୍ତାବିତ ସଫାରିର ଏକ ଡିପିଆର କମିଟିକୁ ପ୍ରଦାନ କରାଯାଇଥିଲା। ତେବେ କମିଟି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ। ଜଣେ ବରିଷ୍ଠ ବନ ଅଧିକାରୀ କହିଛନ୍ତି ଯେ ଆମେ ଏହି ମାମଲାରେ ଆଗକୁ ବଢ଼ିବା ପାଇଁ ଡିପିଆର୍‍ ଅନୁମୋଦନକୁ ଅପେକ୍ଷା କରିଛୁ।

ଡିପିଆର୍ ଅନୁମୋଦନ ହେବା ପରେ ଏହାକୁ ଯାଞ୍ଚ ପାଇଁ ସୁପ୍ରିମକୋର୍ଟ କମିଟିକୁ ପଠାଯିବ ବୋଲି ସୂତ୍ରରୁ ପ୍ରକାଶ। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜଙ୍ଗଲ ଜମିରେ ସଫାରି ପ୍ରକଳ୍ପ କରିବା ପାଇଁ କମିଟିର ଅନୁମୋଦନ ନିହାତି ଜରୁରୀ ଏବଂ ଏହି ଔପଚାରିକତା ଶେଷ ହେବା ପରେ ହିଁ ଏହି ପ୍ରକଳ୍ପ ଆରମ୍ଭ ହେବ। ଗତ ଜାନୁଆରି ମାସରେ ପୂର୍ବ ବିଜଦ ସରକାର ଏହି ପ୍ରକଳ୍ପ ଘୋଷଣା କରିଥିବାବେଳେ ନବଗଠିତ ବିଜେପି ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ଆଗ୍ରହୀ ଥିବା ସୂତ୍ରରୁ ଜଣାପଡ଼ିଛି।

ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ୧୮ ନମ୍ବର ଜାତୀୟ ରାଜପଥ ସଂଲଗ୍ନ ଜଙ୍ଗଲ ଅଞ୍ଚଳରେ ଏହି ସଫାରି ପ୍ରତିଷ୍ଠା କରାଯିବ, ଯେଉଁଥିପାଇଁ ବନ ବିଭାଗ ମଞ୍ଚବନ୍ଧ ସଂରକ୍ଷିତ ଜଙ୍ଗଲ ନିକଟରେ ୧୫୦ ହେକ୍ଟର ଜମି ନିର୍ଦ୍ଧାରଣ କରିଛି। ସମୁଦାୟ ଜମିମଧ୍ୟରୁ ପ୍ରାୟ ୪୦ରୁ ୫୦ ହେକ୍ଟର ଜମିକୁ ଡିସପ୍ଲେ ଏରିଆଭାବେ ସଂରକ୍ଷିତ ରଖାଯିବ ଏବଂ ଅବଶିଷ୍ଟ ଅଞ୍ଚଳକୁ ଉଦ୍ଧାର କେନ୍ଦ୍ର, କର୍ମଚାରୀ ଭିତ୍ତିଭୂମି ଏବଂ ପର୍ଯ୍ୟଟକସୁବିଧା ସମେତ ପ୍ରାଣୀ ଚିକିତ୍ସା ସୁବିଧା ସୃଷ୍ଟି ପାଇଁ ବ୍ୟବହାର କରାଯିବ।

ବନ ବିଭାଗର ଯୋଜନା ଅନୁଯାୟୀ ପ୍ରଥମେ ୬ଟି ବାଘ, ୪ଟି ମେଲାନିଷ୍ଟିକ୍ ଓ ୨ଟି ଧଳା ବାଘକୁ ସଫାରିକୁ ଛଡ଼ାଯିବ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ସମାନ ବଂଶର ୨ଟି ଧଳା ବାଘ ସହ ୩ଟି ମେଲାନିଷ୍ଟିକ୍ ବାଘ ଅଣାଯିବ ଏବଂ ଓଡ଼ିଶା ଓ ଝାଡ଼ଖଣ୍ଡ ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ରାଞ୍ଚିରୁ ଆଉ ଏକ ମେଲାନିଷ୍ଟିକ୍ ବାଘ ଅଣାଯିବ।

Share This Article