ପୋଖରୀରେ ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ

Odisha Hot News
1 Min Read

ରେଢ଼ାଖୋଲ (କନ୍ଦର୍ପ ବେହେରା): ରଜରେ ମଜାମଜଲିସ ଚାରିଆଡେ ଚାଲିଥିବା ବେଳେ ପୋଖରୀରେ ଦୁଇ ନାବାଳକ ଭାଇ ବୁଡି ମୃତ୍ୟୁବରଣ କରିଛନ୍ତି। ରେଢ଼ାଖୋଲ ଥାନା କଳିନ୍ଦର ଗ୍ରାମରେ ଏଭଳି ଘଟଣା ଘଟିଛି।

ପ୍ରକାଶ ଯେ, ଆଜକୁ ଦେଢ ବର୍ଷ ହେବ ଅନୁଗୁଳ ଜିଲ୍ଲାର ପୁରୁଣାକୋଟ୍ ଥାନା ଅନ୍ତର୍ଗତ ଗୋଇନ୍ଦ ଗ୍ରାମରୁ ଆସି ରେଢ଼ାଖୋଲର କଳିନ୍ଦର ଗାଁରେ ରହୁଥିଲେ ଟୁକୁନା ସେଠ ଓ ତାଙ୍କ ସ୍ତ୍ରୀ ତିଲୋତମା ମିର୍ଦ୍ଧା। ପରିବାର କହିଲେ ତାଙ୍କ ଦୁଇ ଶିଶୁ ପୁତ୍ର ୪ ବର୍ଷର ଶ୍ରୀୟାଂଶୁ ସେଠ ଓ ଅଢେଇ ବର୍ଷର ପ୍ରିୟାଂଶୁ ସେଠ। କଳିନ୍ଦର ଗାଁରେ ଚିରଞ୍ଜିବୀ ପ୍ରଧାନଙ୍କ କୁକୁଡ଼ା ଫାର୍ମରେ ରହି କାମ କରୁଥିଲେ।

ଫାର୍ମରେ ବାପା ଟୁକୁନା କାମ କରୁଥିଲେ ଓ ମା ତିଳୋତ୍ତମା ଶନିବାର ବଜାରକୁ ପରିବା ସାମଗ୍ରୀ ପାଇଁ ଯାଇଥିଲେ। ଏହି ସମୟରେ ତାଙ୍କ ଦୁଇ ଶିଶୁ ପୁତ୍ର ମିଶି ଫାର୍ମ ସ୍ଥିତ ପୋଖରୀ ପାଖରେ ଖେଳୁଥିବା ସମୟରେ ପାଣି ଭିତରକୁ ଚାଲିଯାଇ ବୁଡିଯାଇଥିଲେ। ମା ଆସିବା ପରେ ବହୁ ସମୟ ଖୋଜାଖୋଜି କରିଥିଲେ। ପରେ ଜଣକୁ ପୋଖରୀ ପାଣିରେ ଭାସୁଥିବା ଦେଖି ବାପା ଟୁକୁନା ପୁଅକୁ ଉଦ୍ଧାର କରିଥିଲା। ପରେ ସନ୍ଦେହ କରି ସାନପୁଅକୂ ମଧ୍ୟ ସେହି ପୋଖରୀ ପାଣି ଭିତରେ ବୁଡି ଖୋଜି ଉଦ୍ଧାର କରିଥିଲେ। ଉଭୟଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ଡାକ୍ତର ଉଭୟ ଶିଶୁପୁତ୍ରଙ୍କୁ ମୃତ ଘୋଷଣା କରିଥିଲେ।

ରେଢ଼ାଖୋଲ ଡାକ୍ତରଖାନା ରେ ମୃତ୍ୟୁ ବରଣ କରିଥିବା ଦୁଇ ପୁଅକୁ ଦେଖି ମାଆ କାନ୍ଦି କାନ୍ଦି ଭାଙ୍ଗି ପଡୁଥିବାର ଦୃଶ୍ୟ ହୃଦୟ ବିଦାରକ ଥିଲା। ସଙ୍ଗେ ସଙ୍ଗେ ଖବର ପାଇ ରେଢ଼ାଖୋଲ ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ।

Share This Article