ଇଭିଏମ ତ୍ରୁଟି ଉପରେ ଅଭିଯୋଗ କଲେ ଦୀପାଳି ଦାସ, ତାଙ୍କ ଗାଁରେ ବିଜେପି ଆଗୁଆ ନେଇ ସନ୍ଦେହ

Odisha Hot News
1 Min Read

ଝାରସୁଗୁଡା: ନିର୍ବାଚନ ଶେଷ ହୋଇଯାଇଥିଲେ ମଧ୍ୟ ଶେଷ ହୋଇ ନାହିଁ ବିବାଦ। ବର୍ତ୍ତମାନ ଇଭିଏମ ବିବାଦ ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ଦୀପାଳି ଦାସ। ଦୀପାଳି ଝାରସୁଗୁଡା ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇ ହାରିଯାଇଛନ୍ତି। ସେ ବିଜେପିର ଟଙ୍କଧର ତ୍ରିପାଠୀଙ୍କଠାରୁ ମାତ୍ର ୧୩୩୩ ଭୋଟରେ ହାରିଯାଇଛନ୍ତି।

ବର୍ତ୍ତମାନ ଇଭିଏମରେ ତ୍ରୁଟି ଦର୍ଶାଇ ଦୀପାଳି ପୁଣି ଥରେ ଗଣତି କରିବା ପାଇଁ ସେ ଆବେଦନ କରିଛନ୍ତି। ଦୀପାଳି କହିଛନ୍ତି ଯେ, ତାଙ୍କର ନିଜ ଗାଁ ସରବାହଲରେ ସେ ପଛରେ ଅଛନ୍ତି। ଏହି ବୁଥରେ ବିଜେପି ପ୍ରାର୍ଥୀ ୩୬୭ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ଏହା କେବେ ସମ୍ଭବ ହେବ ନାହିଁ ବୋଲି ଦୀପାଳି କହିଛନ୍ତି।

ଭୋଟ ପୁନଃଗଣତି ପାଇଁ ସେ ଧାର‌୍ୟ୍ୟ ଫି ଦାଖଲ କରି ସାରିଛନ୍ତି। ନିୟମ ଅନୁସାରେ ପାଞ୍ଚ ପ୍ରତିଶତ ଇଭିଏମ ଓ ଭିଭିପାଟ ଗଣତି କରାଯିବ। ସେଥିପାଇଁ ପ୍ରତି ସେଟ ପିଛି ୪୭ ହଜାର ଟଙ୍କା ଫି ଦାଖଲ କରିବାକୁ ପଡିବ। ସେହି ଅନୁସାରେ ଦୀପାଳି ୬ ଲକ୍ଷ ୧୧ ହଜାର ଟଙ୍କା ଜମା କରିଛନ୍ତି। ଖୁବ ଶିଘ୍ର ଏହି ବିଧାନସଭା କ୍ଷେତ୍ରରେ ପୁନଃ ଗଣତି ହେବାର ସମ୍ଭାବନା ସୃଷ୍ଟି ହୋଇଛି।

Share This Article