ରଜରେ କଣ ପାଇଁ ପୋଡପିଠା ଖାଇଥାନ୍ତି, କିଛି ରହିଛି କି କାରଣ ?

Odisha Hot News
2 Min Read

ଭୁବନେଶ୍ବର: ରଜ ନାମଟି ଉଚ୍ଚାରଣ କରିବା ମାତ୍ରେ ଆଖି ଆଗକୁ ଝଲସି ଆସି ପୋଡପିଠା ଆଉ ତାହାର ବାସ୍ନା। କାରଣ ଏହି ପୋଡପିଠା କେବଳ ରଜରେ ହିଁ କରାଯାଇଥାଏ। ପୋଡପିଠା ଆଉ ପାନଖିଆ ହେଉଛି ରଜର ଏକ ସ୍ବତନ୍ତ୍ର ପରଂପରା।

ତେବେ ସାଧାରଣରେ ପ୍ରଶ୍ନ ଉଠେ ଯେ, ରଜ ସମୟରେ କଣ ପାଇଁ ପୋଡପିଠା କରାଯାଏ। ଏହି ସମୟରେ କଣ ପାଇଁ ସମସ୍ତେ ପୋଡପିଠା ଖାଇବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ଏହାର ଉତ୍ତର ଜାଣିବାକୁ ହେଲେ ଓଡିଶାର ମହାନ ପ୍ରାଚୀନ ସଂସ୍କୃତି ଏବଂ ଆୟୁର୍ବେଦ ଶାସ୍ତ୍ରକୁ ଯିବାକୁ ପଡିବ।

ଓଡିଆ ଖାଦ୍ୟ ପ୍ରଣାଳୀରେ ପୋଡପିଠା ହେଉଛି ଏକ ଗରିଷ୍ଠ ବା ଗୁରୁ ଖାଦ୍ୟ ବୋଲି ଗ୍ରହଣ କରାଯାଇଛି। କାରଣ ଏହା ଚାଉଳ ଚୁନାର ଯନ୍ତା କରାଯାଇ ପିଠା ପ୍ରସ୍ତୁତ କରାଯାଇଥାଏ। ଏହି ନିଆଁରେ ବହୁ ସମୟ ଧରି ଘାଣ୍ଟିବାକୁ ପଡିଥାଏ। ଏହି ପିଠାକୁ ହାଣ୍ଡିରେ କିମ୍ବା ହଣ୍ଡାରେ ରଖି ଯନ୍ତିବା ଭାରୀ କଷ୍ଟ ଦାୟକ କାମ। ଏହାପରେ ପୁଣି ତାକୁ ଗୋଟିଏ ରାତି ନିଆଁରେ ପୋଡା ଯାଇଥାଏ। ଏଥିରେ ଗୁଡ ନଡିଆ ସହିତ କାଜୁ ପ୍ରଭୃତି ଜିନିଷ ପକାଯାଇଥାଏ।

ତେବେ ଏହି ଗରିଷ୍ଠ ଖାଦ୍ୟ ରଜ ସମୟରେ ଖାଇବାର କାରଣ ରହିଛି। ତାହା ହେଲା ରଜ ସମୟରେ ପ୍ରାୟତଃ ବର୍ଷାର ଆଗମନ ହୋଇଥାଏ। ତା ପୂର୍ବରୁ ଧରାପୃଷ୍ଠ ଖରାରେ ସିଝି ଗରମ ରହିଥାଏ। ସିଝା ମାଟି ଉପରେ ବର୍ଷା ପଡିଲେ ପ୍ରକୃତିରେ ଏକ ଭିନ୍ନ ପ୍ରକାରର ପରିବେଷ ସୃଷ୍ଟି ହୋଇଥାଏ। ଠିକ୍ ଏହି ସମୟରେ ମଣିଷର ହଜମ ଶକ୍ତି ବୃଦ୍ଧି ପାଇଥାଏ। ତାହାକୁ ମୁକିବିଲା କରିବା ପାଇଁ ପୋଡପିଠା ପରି ଗରିଷ୍ଠ ଖାଦ୍ୟକୁ ଆମର ପୂର୍ବପୁରୁଷମାନେ ବ୍ୟବହାର କରି ଆସୁଛନ୍ତି।

ଏହି ସମୟରେ ଜଗତର ନାଥ ଜଗନ୍ନାଥ ମଧ୍ୟ ପୋଡପିଠା ପରି ଗରିଷ୍ଠ ଖାଦ୍ୟକୁ ଗ୍ରହଣ କରିଥାନ୍ତି। ଆଷାଢ ମାସରେ ହେଉଥିବା ରଥଯାତ୍ରା ସମୟରେ ପୋଡପିଠା ଭୋଗ ଲାଗି କରିବା ପ୍ରଥା ରହିଛି। ଯେତେବେଳେ ତିନିଠାକରୁ ଗୁଣ୍ଡିଚା ଘରୁ ମନ୍ଦିରକୁ ଫେରନ୍ତି ସେତେବେଳେ ମାଉସୀମା ମନ୍ଦିରରେ ପୋଡପିଠା ଭୋଗ ପରଂପରା ରହିଛି। ତେଣୁ ବର୍ଷାର ଆଗମନରେ ପ୍ରଭୃ ମଧ୍ୟ ଏହି ଗରିଷ୍ଠ ଖାଦ୍ୟ ଗ୍ରହଣ କରିଥାନ୍ତି।

Share This Article