ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ପୁଣି ଅଭିଯୋଗ କଲା ବିଜେଡି, ନିର୍ବାଚନ ବେଳେ ଅଧିକ ପୋଲିସ ମୁତୟନ ଦାବୀ

Odisha Hot News
1 Min Read

ଭୁବନେଶ୍ବର: ଚିଲିକା ବିଧାୟକ ତଥା ଖୋର୍ଦ୍ଧାର ବିଜେପି ବିଧାନସଭା ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ପୁଣି ଥରେ ଅଭିଯୋଗ କରିଛି ବିଜେଡି। ଏ ନେଇ ଦଳ ତରଫରୁ ଏକ ପ୍ରତିନିଧୀ ମଣ୍ଡଳୀ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେମାନେ ଦାବୀ କରିଛନ୍ତି।

ଦଳ ଅଭିଯୋଗ କରିଛି ଯେ, ପ୍ରଶାନ୍ତ ଜଗଦ୍ଦେବ ଆସନ୍ତା 24 ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳ ଅଫିସ ଏବଂ ଏସଡିପିଓ ଅଫିସ ଉପରେ ଆକ୍ରମଣ କରିବେ ବୋଲି ଧମକ ଦେଇଛନ୍ତି। ଏହି ଧମକ ସେ ଖୋଲିଖୋଲି ପ୍ରେସମିଟ କରି କହିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ଖୋର୍ଦ୍ଧାରେ ଆସନ୍ତା ୨୫ ତାରିଖ ଦିନ ନିର୍ବାଚନ ରହିଛି। ତା ପୂର୍ବ ଦିନ ଅର୍ଥାତ 24 ତାରିଖରେ ସେ ଏପରି କାଣ୍ଡ କରିବେ ବୋଲି ସେ ଧମକ ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେେ ପ୍ରଶାନ୍ତ କହିଛନ୍ତି ଯେ, ମୁଁ ମୋ ଗୁଣ୍ଡାର ଆଖ୍ୟା ପାଇଁ ଗର୍ବିତ ଆଉ ଏସବୁରେ ବିଫଳ ହେଲେ ମୁଁ ନିର୍ବାଚନ କରାଇ ଦେବି ନାହିଁ। ଦଳ କହିଛି ଯେ, ପ୍ରଶାନ୍ତ ଜଗଦ୍ଦେବ ଜଣେ କୁଖ୍ୟାତ ଗୁଣ୍ଡା। ପୂର୍ବରୁ ସେ ଜେଲ ଯାଇଛନ୍ତି ଆଉ ବେଲରେ ଆସିଛନ୍ତି। ତେଣୁ କିପରି ୨୫ ତାରିଖରେ ବିନା କୌଣସି ବ୍ୟାଘାତରେ ଶୃଙ୍ଖଳିତ ଭାବେ ନିର୍ବାଚନ ହେବ ଏଥିପାଇଁ ଅଧିକ ସଂଖ୍ୟକ ପୋଲିସ ମୁତୟନ କରାଯାଉ ବୋଲି ନିର୍ବାଚନ କମିଶନଙ୍କୁ ଅବଗତ କରିଛି ବିଜେଡି ।

Share This Article