ଚିଲିକା: ନଳ ଘାସ ନିଆଁ ଲଗେଇବା ଅଭିଯୋଗରେ ତିନି ଗିରଫ

Odisha Hot News
1 Min Read

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ଚିଲିକା ବ୍ଲକ ଅନ୍ତର୍ଗତ ଭୂଷଣ୍ଡପୁର ନିକଟ ନଳ ଘାସରେ ନିଆଁ ଲଗାଉଥିବା ଅଭିଯୋଗରେ ସିଡିଏ ଅଗ୍ନିଶମ ବିଭାଗ ୩ ଜଣଙ୍କୁ ଗିରଫ କରିଛି। ଖବର ମୁତାବକ ଚଳିତ ମାସ ୧୩ ତାରିଖରେ କାଳୁପଡା ସ୍ଥିତ ନଳବଣରେ ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଅସୁରକ୍ଷିତ ଚିଲିକା ସାଙ୍ଗକୁ ଜଳ ଜୀବଙ୍କ ଜୀବନ ବିପଦରେ ପଡିଥିଲା।

ଉକ୍ତ ଘଟଣା ନେଇ ଡ଼ିଏଫଓ ଅମ୍ଲାନ ନାୟକ ଓ ଏସିଏଫ ରଶ୍ମି ଚୌଧୁରୀଙ୍କ ମିଳିତ ଆନୁକୂଲ୍ୟରେ ଏକ ନିରୀକ୍ଷଣ ଟିମ ଗଠନ ହୋଇଥିବା ବେଳେ ସିଡିଏ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଥିଲା। ଏହିପରିପ୍ରେକ୍ଷୀରେ ଆଜି ସିଡିଏ ଅଗ୍ନିଶମ ବିଭାଗ ପକ୍ଷରୁ ନିରୀକ୍ଷଣ ସମୟରେ ତିନି ଜଣ ଅଭିଯୁକ୍ତଙ୍କୁ ଭୂଷଣ୍ଡପୁର ନିକଟ ନଳ ଘାସରେ ନିଆଁ ଲଗାଉଥିବା ବେଳେ ଗିରଫ କରାଯାଇଛି।

ଅଭିଯୁକ୍ତଙ୍କ ବିରୁଦ୍ଧରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ ସେକ୍ସନ -୨(୧୫),(୧୬),ସେକ୍ସନ-୯ ରେ ଗିରଫ କରି ବନ୍ୟପ୍ରାଣୀ ବିଭାଗରେ ଅଟକ ରଖାଯାଇ ଥିବାବେଳେ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବା ନେଇ ଏସିଏଫ ରଶ୍ମି ଚୌଧୁରୀ କହିଛନ୍ତି। ଅଭିଯୁକ୍ତ ମାନେ ହେଲେ ପୁରୀ ଗଡସିଙ୍ଗଡ଼ା ଥାନା ଅନ୍ତର୍ଗତ ଅଲିପଡା ଗ୍ରାମର ରାଜୀବ ପଲେଇ (୨୯), ନୂଆଗାଁ ଗ୍ରାମର ସହଦେଵ ସାହୁ (୩୪) ଓ ଗୋଲଖ ରାଉତ (୬୫)।

Share This Article