ଖୋର୍ଦ୍ଧା: ବିପୁଳ ପରିମାଣରେ ଦେଶୀ ମଦ ବୋଝେଇ ଗାଡି ଜବତ କଲା ବେଗୁନିଆ ଅବକାରୀ ବିଭାଗ

Odisha Hot News
1 Min Read

ଖୋର୍ଦ୍ଧା: ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲାପାଳ ଓ ଏସପିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଓ ଅବକାରୀ ବିଭାଗ ପ୍ରତିଦିନ ଚଢ଼ାଉ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ଗତକାଲି ବେଗୁନିଆ ଅବକାରୀ ବିଭାଗ ଦ୍ୱାରା ବିପୁଳ ପରିମାଣରେ ଦେଶୀ ମଦ ବୋଝେଇ ଗାଡି ଜବତ ହୋଇଛି।

ସୂଚନା ମୁତାବକ କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ନୂଆ ତିଗିରିଆ ଗ୍ରାମର ଜଗଦୀଶ ମହାନ୍ତି ନାମକ ବ୍ୟକ୍ତି ଏକ ପିକ୍‌ଅପ୍ ଗାଡ଼ି ଯୋଗେ ବିପୁଳ ପରିମାଣରେ ଦେଶୀ ମଦ ବେଗୁନିଆ ଅଞ୍ଚଳକୁ ଚୋରା ଚାଲାଣ କରୁଥିବାର ଖବର ଅବକାରୀ ବିଭାଗ ପାଇଥିଲା।

ଜିଲ୍ଲା ଅବକାରୀ ଅଧୀକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଏବଂ ଖୋର୍ଦ୍ଧା ରେଞ୍ଜ ଅବକାରୀ ନିରୀକ୍ଷକ ସନ୍ତୋଷ କୁମାର ସାହୁଙ୍କ ତତ୍ୱାବଧାନରେ ବେଗୁନିଆ ଅବକାରୀ ଅଧିକାରୀ ଏନ୍. ଜାଗିନ ରାଓଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ତନଖି ଜାରି ରହିଥିବା ବେଳେ ବେଗୁନିଆ ସଦର ମହକୁମା ସ୍ଥିତ ପୋଷ୍ଟ ଅଫିସ ଛକ ନିକଟରୁ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଉକ୍ତ ପିକ୍‌ଅପ୍ ଗାଡ଼ିଟି ଜବତ ହୋଇଛି। ଗାଡ଼ିରୁ ୨୨ ଗୋଟି ଜାରକିନ ଜବତ ହୋଇଛି ଯେଉଁଥିରେ ୭୭୦ ଲିଟର ଦେଶୀ ମଦ ଥିବା ସୂଚନା ରହିଛି। ଏହି ପରିପ୍ରେକ୍ଷୀରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

Share This Article