ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ସଚ୍ଚି ଦାସଙ୍କ ପରଲୋକ, ‘ଶାଗୁଣା ବସିଛି ଡେଣା ମେଲାଇ’ର ଥିଲେ ନିର୍ଦ୍ଦେଶକ

Odisha Hot News
1 Min Read

ଭୁବନେଶ୍ବର: ଆଜି ରାଜ୍ୟର ଜଣେ ବର୍ଷିୟାନ କଳାକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 91 ବର୍ଷ ବୟସ ହୋଇଥିଲା। ସେ କଟକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି। ସେ ଶତାଧିକ ନାଟକରେ ନିର୍ଦ୍ଦେଶନା ଦେବା ସହିତ ବହୁ ଚଳଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି କୁଳଚନ୍ଦ୍ରମା, ପରିବାର, ମେଘମୁକ୍ତି ପରି ଅନେକ ଚଳଚିତ୍ର।

ତେବେ ସଚ୍ଚି ଦାସ ଓଡିଆ ନାଟ୍ୟ ଜଗତର ଜଣେ ଜଣାଶୁଣା ନାମ। ସେ ଓଡିଶାର ସୁପରହିଟ ନାଟକ ଶାଗୁଣା ବସିଛି ଡେଣା ମେଲାଇର ନିର୍ଦ୍ଦେଶକ ଥିଲେ। ଧେତେ…… ସଂଳାପ ସଚ୍ଚି ଦାସଙ୍କଠାରୁ ଉତ୍ପନ ହୋଇଥିଲା। ସେହିପରି ସେ ଶତାଧିକ ନାଟକର ନିର୍ଦ୍ଦେଶକ ଥିଲେ। ରବିନ୍ଦ୍ର ମଣ୍ଡପରେ ପେଶାଦାର ନାଟକ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ତାଙ୍କ ବିୟୋଗରେ ଉଭୟ ଚଳଚିତ୍ର ଜଗତ ତଥା ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି।

ତାଙ୍କର ଦକ୍ଷତା ପାଇଁ ସେ ଓଡିଶା ସଂଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ପୁରସ୍କାର କବି ସମ୍ରାଟ ଉପେନ୍ଦ୍ରଭଂଜ ପୁରସ୍କାର ହାସଲ କରିଛନ୍ତି। ଏଥିସହିତ ଗୁରୁ କେଳୁ ଚରଣ ମହାପାତ୍ର ପୁରସ୍କାର, ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର, ଶତାଦ୍ଧୀର କଳାକାର ପୁରସ୍କାର ପ୍ରଭୃତି ସେ ହାସଲ କରିଛନ୍ତି। ତାଙ୍କ ବିୟୋଗରେ ଓଡିଶା ସିନେକ୍ରିଟିକ ଆସୋସିଏସନ ତରଫରୁ ଶୋକ ପ୍ରକାଶ କରାଯାଇଛି।

Share This Article